ସ୍ବାଧୀନତା ସଂଗ୍ରାମର ଏହି ବିସ୍ମୃତ ଘଟଣା ସଂପର୍କରେ ଜାଣିଛନ୍ତି ? ମନେପକାଇଦେବ ନୌସେନାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ : ଏ ବର୍ଷ ଜନରାଜ୍ୟ ଦିବସରେ ଭାରତୀୟ ନୌସେନାର ପ୍ରଜ୍ଞାପନ ମେଢ ବା ଟାବଲୁ ଟିକିଏ ଭିନ୍ନ ଧରଣର ହେବ । ଏହା ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଅପେକ୍ଷାକୃତ ଅଜଣା ଘଟଣା ଉପରେ ପର୍ଯ୍ୟବେଶିତ ହେବ । ତାହା ହେଉଛି ୧୯୪୬ ମସିହାରେ ହୋଇଥିବା ନୌସେନା ବିଦ୍ରୋହ । ଏହି ବିଦ୍ରୋହ ଯୋଗୁଁ ବ୍ରିଟିଶ ସାମାଜ୍ୟ ଦୋହଲି ଯାଇଥିଲା ।

ଫେବ୍ରୁଆରି ୧୯୪୬ରେ ବମ୍ବେଠାରେ ଥିବା ନୌସେନା ଘାଟିରେ ପ୍ରାୟ ୧୧୦୦ ନୌସୈନିକ ଧର୍ମଘଟ ଆରମ୍ଭ କରିଥିଲେ । ଖରାପ ଖାଦ୍ୟ ଓ ଖରାପ ପୋଷାକକୁ ବିରୋଧ କରି ସେମାନେ ଏହି ଧର୍ମଘଟ ଆରମ୍ଭ କରିଥିଲେ । ପ୍ରଥମେ ଧୀମା କାମ କରି ସେମାନେ ପ୍ରତିବାଦ କରିଥିଲେ । ବମ୍ବେସ୍ଥିତ ରୟାଲ ବ୍ରିଟିଶ ନୌସେନାର ଜାହାଜ ଏଚଏମଏସ ତଲଓ୍ବାର ଓ ସିଗନାଲ ସ୍କୁଲରେ ଏହି ଧର୍ମଘଟ ଆରମ୍ଭ ହୋଇଥିଲା । ଏଥିରେ ରାଗିଯାଇ ଏଚଏମଏ ତଲଓ୍ବାରର କମାଣ୍ଡର ଏଫଏମ କିଙ୍ଗ ଧର୍ମଘଟକାରୀ ଭାରତୀୟ ନୌସୈନିକମାନଙ୍କୁ କୁଲି କହିବା ସହ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଦେଇଥିଲେ । ଏହା ଜାଣିବା ପରେ ଏହି ଧର୍ମଘଟ ଏକ ବିଦ୍ରୋହରେ ପରିଣତ ହୋଇଥିଲା । ଦେଖୁ ଦେଖୁ ଧର୍ମଘଟ କାଲକାଟା (ଆଜିର କୋଲକାତା) ଓ କରାଚୀକୁ ବ୍ୟାପିଯାଇଥିଲା । ସେଠାରେ ଥିବା ନୌସୈନିକମାନେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଦେଇଥିଲେ ।  କ୍ରମଶଃ ଏହି ବିଦ୍ରୋହ ଜାତୀୟତାବାଦ ଆଡ଼କୁ ଗତି କରିଥିଲା । ଏହି ବିଦ୍ରୋହ ଯୋଗୁଁ ସମଗ୍ର ବ୍ରିଟିଶ ସରକାର ଥରି ଉଠିଥିଲା ।  ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ହସ୍ତକ୍ଷେପ ପରେ ସେମାନେ ଧର୍ମଘଟ ପ୍ରତ୍ୟାହାର କରିନେଇଥିଲେ ।

ସମ୍ବନ୍ଧିତ ଖବର