ଶିଲଂ: ଗତବର୍ଷ ଡିସେମ୍ବର ୧୩ ତାରିଖ ଦିନ ବେଆଇନ୍‌ କୋଇଲାଖଣି ମଧ୍ୟରେ ଅଟକି ରହିଯାଇଥିବା ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଭାରତୀୟ ନୌସେନାର ୧୫ ଜଣିଆ ଟିମ୍‌ ଶନିବାର ଦିନ ନିଜ ବେସ୍‌କୁ ଫେରିଯିବେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଜଣେ ସରକାରୀ ଅଧିକାରୀ କହିଛନ୍ତି।

Advertisment

ପୂର୍ବ ଜଇନ୍ତିଆ ହିଲ୍‌ସ୍‌ ଡିଷ୍ଟ୍ରିକ୍ଟ୍‌ର ମୁଖପାତ୍ର ଆର୍‌ ସୁସ୍‌ଙ୍ଗି କହିଛନ୍ତି, ଡିସେମ୍ବର ୨୯ ତାରିଖ ଦିନ ଉଦ୍ଧାର ଅଭିଯାନରେ ଯୋଗ ଦେଇଥିବା ନୌସେନା କର୍ମଚାରୀମାନେ ସେମାନଙ୍କର ହାଇକମାଣ୍ଡ୍‌ଙ୍କ ଠାରୁ ନିର୍ଦେଶ ପାଇ ଫେରି ଯାଉଛନ୍ତି। ସୁସ୍‌ଙ୍ଗି ଆହୁରି ମଧ୍ୟ କହିଛନ୍ତି ଯେ ନୌସେନା କର୍ମଚାରୀଙ୍କ ସହ ଜାନୁଆରି ୨୯ ତାରିଖ ଦିନ ଯୋଗ ଦେଇଥିବା ଭାରତୀୟ ସେନାର କର୍ମଚାରୀମାନେ ମଧ୍ୟ ସେମାନଙ୍କର ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷଙ୍କ ଠାରୁ ଡାକରା ପାଇ ମେଘାଳୟ ଛାଡୁଛନ୍ତି।

ଉଭୟ ଦଳଙ୍କର ନିଃସ୍ୱାର୍ଥ ସେବା ଲାଗି ଇଷ୍ଟ୍‍ ଜଇନ୍ତିଆ ହିଲ୍‌ସ୍‌ର ଡେପ୍ୟୁଟି କମିସନର୍‌ ଏଫ୍‌ଏମ୍‌ ଡପ୍‌ଥ୍‌ ସେମାନଙ୍କର ନିରାପଦ ବାହୁଡ଼ା ଯାତ୍ରା ମନାସୀଛନ୍ତି।

ଫେବ୍ରୁଆରି ୨୭ ତାରିଖ ଦିନ ଉଦ୍ଧାର କରାଯାଇଥିବା ଶବଟି ଲୁମ୍‌ଥାରି ଗାଁ’ର ଦିମୋନ୍‌ମେ ଦଖାରଙ୍କର ବୋଲି ଶୁକ୍ରବାର ଅପରାହ୍ଣରେ ଚିହ୍ନଟ କରାଯିବା ପରେ ଡେପ୍ୟୁଟି କମିସନର୍‌ଙ୍କ ଦ୍ୱାରା ତାଙ୍କର ଦୁଃଖୀ ମାଆ ଜଷ୍ଟିନା ଦଖାର୍‌ଙ୍କୁ ହସ୍ତାନ୍ତର କରାଯାଇଥିଲା।

ମୁଖପାତ୍ର କହିଛନ୍ତି ଯେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ୪୮, ୬୦, ୦୦୦ ଲିଟର ପାଣି ନିଷ୍କାସନ କରିଛି।

ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ରହି ଅନ୍ୟ ଉଦ୍ଧାରକାରୀ ଦଳମାନଙ୍କୁ ଆବଶ୍ୟକମତେ ସାହାଯ୍ୟ ଯୋଗାଇ ଦେଉଛନ୍ତି।