ନୂଆଦିଲ୍ଲୀ: ଶନିବାର ଭାରତୀୟ ନୌସେନା, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି) ସହ ମିଶି ବଡଧରଣର କାର୍ଯ୍ୟାନୁଷ୍ଠାନ କରି ପାକିସ୍ତାନ ରାସ୍ତା ଦେଇ ଭାରତ ଆସୁଥିବା ୨ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଏନସିବିକୁ ଖବର ମିଳିଥିଲା ଯେ ପ୍ରବଳ ମାତ୍ରାରେ ଡ୍ରଗ୍ସ ଥିବା ଦୁଇଟି ଜାହାଜ ଆରବ ସାଗରରୁ ମୁମ୍ବାଇ କିମ୍ବା ଗୁଜରାଟ ଆଡକୁ ଆସୁଛି।
ଗଣମାଧ୍ୟମରେ ପ୍ରକାଶିତ ସୂତ୍ର ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଭାରତୀୟ ନୌସେନାର ସହଯୋଗରେ ଉପମହାନିର୍ଦ୍ଦେଶକ(ଡିଡିଜି) ସଞ୍ଜୟ କୁମାର ସିଂହଙ୍କ ନେତୃତ୍ଵରେ ଏନସିବି କରିଥିଲା।
ଏହି ସପ୍ତାହରେ ସମୁଦ୍ରରେ ନିରୀକ୍ଷଣ କରିବା ପରେ ଏନସିବି ଓ ଭାରତୀୟ ନୌସେନା ଭାରତୀୟ ସମୁଦ୍ର ସୀମା ବାହାରେ ଦୁଇଟି ଜାହାଜକୁ ଦେଖିଥିଲେ। ଯାହାକି ସମୂଦ୍ରତଟ ଠାରୁ ୨୦୦ ସମୁଦ୍ର ମାଇଲ୍ ଦୂରରେ ଥିଲେ। ଏହାପରେ ଭାରତୀୟ ନୌସେନାର ଜାହାଜ ସେମାନଙ୍କୁ ପିଛା କରିଥିଲା। ଏହି ସମୟରେ ତସ୍କରମାନେ ଗୋଟିଏ ଜାହାଜକୁ ଛାଡିଦେଇ ଅନ୍ୟ ଜାହାଜରେ ଫେରାର ହୋଇଯାଇଥିଲେ। ଜାହାକୁ ତଲାସ କରାଯିବା ପରେ ୭୫୯ କିଲୋଗ୍ରାମ ବିଭିନ୍ନ ପ୍ରକାର ଡ୍ରଗ୍ସ ମିଳିଥିଲା। ଏଗୁଡିକ ଉଚ୍ଚ ଗୁଣବତ୍ତାବିଶିଷ୍ଟ ଡ୍ରଗ୍ସ ବୋଲି ଜଣା ପଡିଛି। ଆନ୍ତର୍ଜାତିକ ବଜାରରେ ଏହି ଡ୍ରଗ୍ସର ମୂଲ୍ୟ ପାଖାପାଖି ୨ ହଜାର କୋଟି ଟଙ୍କା।
ଏନସିବିର ମହାନିର୍ଦ୍ଦେଶକ ଏସଏନ୍ ପ୍ରଧାନ କହିଛନ୍ତି, ଏନସିବି ଅଥବା ଅନ୍ୟ ଯାଞ୍ଚ ଏଜେନ୍ସିମାନଙ୍କ ଇତିହାସରେ ଏହା ଏପରି ପ୍ରଥମ କାର୍ଯ୍ୟାନୁଷ୍ଠାନ ଯେଉଁଠି ସମୁଦ୍ରରେ ଏତେ ପରିମାଣରେ ଡ୍ରଗ୍ସ୍ ଜବତ କରାଯାଇଛି। ଏହା ଏକ ବଡ ସଫଳତା। ସମୁଦ୍ରରେ ମିଳିଥିବା ଜାହାଜରେ ଉର୍ଦ୍ଦୁ ଭାଷାରେ କିଛି ଲେଖା ହୋଇଛି। ଗୁଇନ୍ଦା ରିପୋର୍ଟରୁ ଜଣା ପଡିଛି ଏହି ଡ୍ରଗ୍ସ ପାକିସ୍ତାନରୁ ଭାରତକୁ ପଠାଯାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Navy.jpeg)