ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନିର୍ମାଣ କରାଯାଇଛି । ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।

ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ପ୍ରଥମ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର । ଚଳିତ ୟୁକ୍ରେନ ଯୁଦ୍ଧରେ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହୋଇଛି । ୟୁକ୍ରେନ ପକ୍ଷରୁ ଏହି ଧରଣର କ୍ଷେପଣାସ୍ତ୍ର ପ୍ରୟୋଗ କରି ରୁଷର ଶକ୍ତିଶାଳୀ ବିମାନବାହୀ ପୋତକୁ ଧ୍ବଂସ କରିଦିଆଯାଇଛି ।

ଭାରତ ମହାସାଗରୀୟ ଅଂଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏଅଂଚଳରେ ଭାରତୀୟ ନୌସେନା ନିଜର ଶକ୍ତି ବୃଦ୍ଧି କରିବାକୁ ପଦକ୍ଷେପ ନେଉଛି । ବିଶେଷକରି ସ୍ବଦେଶୀ ଜ୍ଞାନକୌଶଳରେ ନୂଆ ନୂଆ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ବିକଶିତ କରି ନୌସେନାରେ ସାମିଲ କରାଯାଉଛି । ଗତ ମାସରେ ଭାରତୀୟ ନୌସେନା ପକ୍ଷରୁ ବ୍ରହ୍ମସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଆଣ୍ଟି-ସିପ ଭର୍ସନର ସଫଳ ପରୀକ୍ଷଣ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ କରାଯାଇଥିଲା । ଏସବୁ କ୍ଷେପଣାସ୍ତ୍ର ନୌସେନାର ଶକ୍ତିବୃଦ୍ଧିରେ ସହାୟକ ହେବା ଆଶା କରାଯାଉଛି ।

 

ସମ୍ବନ୍ଧିତ ଖବର