ନୂଆଦିଲ୍ଲୀ : ଭାରତୀୟ ନୌସେନା ନିଜର ୬ଷ୍ଠ ଡୋନିୟର ବିମାନ ସ୍କ୍ଵାର୍ଡନ ପାକିସ୍ତାନ ସୀମାକୁ ଲାଗିଥିବା ଗୁଜୁରାଟର ପୋରବନ୍ଦରଠାରେ କାର୍ଯ୍ୟକ୍ଷମ କରିଛି । ଜଳଭାଗରେ ମଧ୍ୟ ପାକିସ୍ତାନ ପଟୁ ବିପଦ ଆଶଙ୍କା ବଢୁଥିବାରୁ ନୌସେନା ଏସବୁ ବିମାନକୁ ମୁତୟନ କରିଛି । ଏହାକୁ ଶୁକ୍ରବାରଦିନ ନୌସେନାର ଉପମୁଖ୍ୟ ଭାଇସ- ଆଡମିରାଲ ଏମଏସ ପାଓ୍ଵାର ଉନ୍ମୋଚନ କରିଛନ୍ତି । ଭାରତୀୟ ନୌସେନାର ଏୟାର ସ୍କ୍ଵାର୍ଡନ-୩୧୪ ରାପ୍ଟର ଏହି ବିମାନଗୁଡ଼ିକୁ ବ୍ୟବହାର କରିବ । ଏହି ଅବସରରେ ଭାଇସ-ଆଡମିରାଲ ପାଓ୍ଵାର କହିଛନ୍ତି ଯେ ଇଣ୍ଡିଆନ ନାଭାଲ ଏୟାର ସ୍କ୍ଵାର୍ଡନ କାର୍ଯ୍ୟକ୍ଷମ ହେବା ଆରବ ସାଗରରେ ନୌସେନାର ଶକ୍ତିକୁ ବୃଦ୍ଧି କରିବ । ବିଶେଷକରି ଉତ୍ତର-ଆରବ ସାଗରରେ ପାକିସ୍ତାନ ପଟୁ ବିପଦର ଆଶଙ୍କା ଥିବାରୁ ନୌସେନା ବିଶେଷଭାବେ ସତର୍କ ରହିଛି । ଭାରତୀୟ ଜଳସୀମାରେ ସୁରକ୍ଷା ବଢାଇବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଗତକାଲି ଭାରତୀୟ ନୌସେନା ପାଇଁ ଆଣ୍ଟି-ସବମେରିନ ପି୮୧ ବିମାନ ଖରିଦ କରିବାକୁ ମଂଜୁରୀ ଦେଇଥିଲା । ଏହି ବିମାନ ଆଣ୍ଟି-ସବମେରିନ ଯୁଦ୍ଧ କ୍ଷେତ୍ରରେ ଭାରତୀୟ ନୌସେନାର ଶକ୍ତିକୁ ବଢିଇବ । ଆହୁରି ମଧ୍ୟ ଭାରତୀୟ ତଟରକ୍ଷୀ ବାହନୀ ଲାଗି ଟ୍ଵିନ ଇଂଜିନ ହେଭି ଲିଫ୍ଟ ହେଲିକାପ୍ଟର ଖରିଦ କରିବାକୁ ମଧ୍ୟ ସବୁଜ ସଂକେତ ଦେଇଥିଲା ।

Advertisment