ଭାରତ ମହାସାଗରରେ  ନିଖୋଜ ହେଲା ଇଣ୍ଡୋନେସିଆର ବୁଡ଼ାଜାହାଜ, ଖୋଜିବାକୁ ସ୍ବତନ୍ତ୍ର ଜାହାଜ ପଠାଇଲା ଭାରତୀୟ ନୌସେନା

ବିଶାଖାପାଟଣା : ଇଣ୍ଡୋନେସିଆ ନୌସେନାର ଏକ ବୁଡ଼ାଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି । ଏହା ସହିତ ଏଥିରେ ଥିବା ପ୍ରାୟ ୫୩ ଜଣ କର୍ମଚାରୀଙ୍କ ପତ୍ତା ମିଳୁନାହିଁ। ଏହି ବୁଡ଼ାଜାହାଜକୁ ଖୋଜିବାକୁ ଭାରତୀୟ ନୌସେନା ଏକ ସନ୍ଧାନୀ ଜାହାଜ ପଠାଇଛି ।

ଇଣ୍ଡୋନେସିଆ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଜର୍ମାନୀ ନିର୍ମିତ ଲଢୁଆ ବୁଡ଼ାଜାହାଜ କେଆରଆଇ ନାଙ୍ଗୋଲା-୪୦୨ ବାଲି ଉପକୂଳରେ ଅନୁଷ୍ଠିତ ଏକ ନିୟମିତ ସାମରିକ ଅଭ୍ୟାସ ସମୟରେ ନିଖୋଜ ହୋଇଯାଇଥିଲା । ଏହି ବୁଡ଼ାଜାହାଜକୁ ଖୋଜିବାକୁ ଇଣ୍ଡୋନେସିଆ ନୌସେନା ବିଫଳ ହେବା ପରେ ନିଜର ବନ୍ଧୁରାଷ୍ଟ୍ରମାନଙ୍କ ସହଯୋଗ ଲୋଡ଼ିଥିଲା । ଏହା ପରେ ଭାରତ, ସିଙ୍ଗାପୁର ଓ ମାଲେସିଆର ନୌସେନା ପକ୍ଷରୁ ସନ୍ଧାନୀ ଜାହାଜ ପଠାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।

ଭାରତୀୟ ନୌସେନା ସୂତ୍ରରୁ ଜଣାପଡ଼ିଛି ଯେ ବିଶାଖାପାଟଣାରୁ ଏକ ଡିପ ସବମର୍ଜ୍ ରେସକ୍ୟୁ ଭେସେଲ (ଡିଏସଆରଭି) ପଠାଯାଇ ନିଖୋଜ ବୁଡ଼ାଜାହାଜର ସନ୍ଧାନ କରାଯାଉଛି । ଏହି ଡିଏସଆରଭିରେ ଅତ୍ୟାଧୁନିକ ସାଇଡ୍ ସ୍କାନ ସୋନାର ସିଷ୍ଟମ ରହିଛି ଯଦ୍ବାରା କି ପ୍ରାୟ ୧୦୦୦ ମିଟର ଗଭୀର ସମୁଦ୍ରରେ ଥିବା ବସ୍ତୁର ସନ୍ଧାନ ମିଳିପାରିବ । ବିଶ୍ବର ଅଳ୍ପ କେତେକ ନୌସେନା ପାଖରେ ଡିଏସଆରଭି ରହିଛି ଓ ଏହି  ଟେକନଲୋଜୀ ବ୍ୟବହାର କରି ଏପରି ତଲାସୀ ଅଭିଯାନ କରିବାର କ୍ଷମତା ରହିଛି ।

ସମ୍ବନ୍ଧିତ ଖବର