ନୂଆଦିଲ୍ଲୀ: ଚୀନ୍ର ‘ଆଣ୍ଟି-ସିପ୍ ବାଲିଷ୍ଟିକ୍ ମସାଇଲ୍ ଡିଏଫ୍-୨୧’ ଭଳି କ୍ଷେପଣାସ୍ତ୍ର ମାଡ଼ରୁ ଭାରତୀୟ ଯୁଦ୍ଧ ଜାହାଜକୁ ସୁରକ୍ଷିତ ରଖିବା ନିମନ୍ତେ ଉପାୟ କରିବାକୁ ଭାରତୀୟ ନୌସେନାର ଆଭିଯାନିକ ଯୋଜନାକାରୀମାନେ ରୁଷୀୟ ଯୁଦ୍ଧପୋତ ‘ମୋସ୍କଭା’ ବୁଡ଼ି ଉପରେ ଅଧ୍ୟୟନ କରୁଛନ୍ତି।
ଏପ୍ରିଲ୍ ୧୪ ତାରିଖ ଦିନ ୟୁକ୍ରେନ୍ର ୨ଟି ‘ଆଣ୍ଟି-ସିପ୍ କ୍ରୁଜ୍ ମିସାଇଲ୍’ ମାଡ଼ରେ ନିଆଁ ଲାଗି ବିସ୍ଫୋରଣ ଘଟିବା ପରେ ‘ମୋସ୍କଭା’ କୃଷ୍ଣସାଗରରେ ବୁଡ଼ିଯାଇଥିଲା।
୧୯୦୫ ମସିହା ଅର୍ଥାତ୍, ୧୧୭ ବର୍ଷ ପୂର୍ବେ ଜାପାନର ‘ଇମ୍ପେରିୟାଲ୍ ନେଭି’ଦ୍ବାରା ସୁସିମା ଯୁଦ୍ଧରେ ‘ମୋସ୍କଭା’ ଭାଗ ନେଇଥିଲା। ରୁଷୀୟ ଯୁଦ୍ଧପୋତ ‘ମୋସ୍କଭା’ ବୁଡ଼ି ଘଟଣା ‘ଆଣ୍ଟି-ସିପ୍ କ୍ରୁଜ୍’ ଏବଂ ‘ବାଲିଷ୍ଟିକ୍’ ମିସାଇଲ୍ ଯୁଗରେ ଯୁଦ୍ଧପୋତଗୁଡ଼ିକ ତିଷ୍ଠିବା ଉପରେ ସନ୍ଦେହ ସୃଷ୍ଟି କରାଇଛି। ଚୀନ୍ ନୌସେନା ସମେତ ବିଶ୍ବର ସମସ୍ତ ରାଷ୍ଟ୍ରର ନୌସେନା ପ୍ରତି ‘ଆଣ୍ଟି-ସିପ୍ ୱିପନ୍’ ବିପଦ ଭାବେ ଉଭା ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଆଗାମୀ ସପ୍ତାହରେ ହେବାକୁ ଥିବା ‘ନେଭାଲ୍ କମାଣ୍ଡର୍ସ କନ୍ଫରେନ୍ସ୍’ରେ ରୁଷୀୟ ଯୁଦ୍ଧପୋତ ‘ମୋସ୍କଭା’ ବୁଡ଼ି ଆଲୋଚ୍ୟ ବିଷୟ ହେବ।
ଉଲ୍ଲେଖଯୋଗ୍ୟ, ଆକାଶରୁ ନିକ୍ଷେପ ହେଉଥିବା ଏବଂ ଜାହାଜରୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ରଗୁଡ଼ିକର ମୁକାବିଲା ପାଇଁ ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକରେ ଭୂପୃଷ୍ଠରୁ ଆକାଶକୁ ଉତ୍କ୍ଷେପଣ କରାଯାଉଥିବା ‘ବାରାକ୍-୧’ ଓ ‘ବାରାକ୍-୩’ କ୍ଷେପଣାସ୍ତ୍ର ରହିଛି। କିନ୍ତୁ, ରୁଷୀୟ ଯୁଦ୍ଧପୋତ ‘ମୋସ୍କଭା’ ବୁଡ଼ି ଯିବା ଭଳି ପରିସ୍ଥିତିରେ କ’ଣ କରାଯାଇ ପାରିବ ସେ ବିଷୟରେ ଭାରତୀୟ ନୌସେନା ଚିନ୍ତା କରୁଛି।
ଯୁଦ୍ଧ ସମୟରେ ‘ଆଣ୍ଟି-ସିପ୍ ମିସାଇଲ୍’ଗୁଡ଼ିକୁ ପଥଭ୍ରଷ୍ଟ କରାଇବାକୁ ‘ଡିଆର୍ଡିଓ’ ‘ଚାଫ୍ସ୍ ସିଷ୍ଟମ୍’ ବିକଶିତ କରିଛି। ‘କ୍ଷେପଣାସ୍ତ୍ର ଆସୁଥିବା କଥା ଜାଣିବା କ୍ଷଣି ଯୁଦ୍ଧପୋତରେ ଥିବା ‘ଚାଫ୍ସ୍ ସିଷ୍ଟମ୍’ ଧାତବ ରେଣୁରେ ବାଦଲ ସୃଷ୍ଟି କରେ। ଉକ୍ତ ଧାତବ ବାଦଲ କ୍ଷେପଣାସ୍ତ୍ରଟିକୁ ନିଜ ଆଡ଼କୁ ଆକୃଷ୍ଟ କରି ଯୁଦ୍ଧପୋତକୁ ରକ୍ଷା କରିଥାଏ।