୨୦୨୧ ସୁଦ୍ଧା ନୌସେନାରେ ସାମିଲ୍ ହେବ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ ‘ବିକ୍ରାନ୍ତ’: ଭାଇସ୍ ଆଡ୍ମିରାଲ୍ ଏକେ ସକ୍ସେନା
ନୂଆଦିଲ୍ଲୀ: ଆସନ୍ତା ୨୦୨୧ରେ ଭାରତୀୟ ନୌସେନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧ ଜାହାଜ ‘ବିକ୍ରାନ୍ତ’ ସାମିଲ୍ ହେବାକୁ ଯାଉଛି ବୋଲି ସୋମବାର ଭାଇସ୍ ଆଡ୍ମିରାଲ୍ ଏକେ ସକ୍ସେନା କହିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଭାରତୀୟ ନୌସେନାର ବିମାନବାହୀ ଯୁଦ୍ଧ ଜାହାଜର ସଂଖ୍ୟା କମି କମି ଏବେ ମାତ୍ର ଭାରତୀୟ ନୌସେନା ପାଖରେ ଗୋଟିଏ ବିମାନବାହୀ ଯୁଦ୍ଧ ଜାହାଜ ଅଛି।
ଆସନ୍ତା ବର୍ଷ ଏହି ନୂଆ ବିମାନବାହୀ ଯୁଦ୍ଧ ଜାହାଜ ‘ବିକ୍ରାନ୍ତ’କୁ ସମୁଦ୍ରରେ ପରୀକ୍ଷାମୂଳକ ଭାବେ ଛଡ଼ାଯିବାର ଯୋଜନା ରହିଛି। ଭାରତୀୟ ନୌସେନା ‘ବିକ୍ରାନ୍ତ’ ବ୍ୟତୀତ ଅନ୍ୟ ଏକ ବିମାନବାହୀ ଯୁଦ୍ଧ ଜାହାଜକୁ ବି ନୌସେନାରେ ସାମିଲ୍ କରାଇବାର ଯୋଜନା ରଖିଛି।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ସେନାରେ ସାମିଲ୍ ହେବାକୁ ଥିବା ଜାହାଜ ‘ବିକ୍ରାନ୍ତ’ ହେବ ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ। ‘ବିକ୍ରାନ୍ତ’ର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ବୋଲି ସୂଚନା ରହିଛି।
ଏହାର ଓଜନ ୪୦,୦୦୦ ଟନ୍। ଏହାକୁ ତିଆରି କରୁଛି କୋଚିନ୍ ସିପ୍ୟାର୍ଡ ଲିମିଟେଡ୍। ଏହି ବିମାନବାହୀ ଯୁଦ୍ଧ ଜାହାଜଟି ରଷିୟାନ୍ ମିଗ୍-୨୯କେ ଲଢ଼ୁଆ ବିମାନଗୁଡ଼ିକୁ ନିଜ ବକ୍ଷରୁ ପରିଚାଳନା କରିବ। ପୂର୍ବରୁ ଏହି ଲଢ଼ୁଆ ବିମାନଗୁଡ଼ିକୁ ‘ବିକ୍ରମାଦିତ୍ୟ’ ପରିଚାଳନା କରୁଥିଲା।