‘ପ୍ରେଜିଡେଣ୍ଟସ୍‌ ଷ୍ଟାଣ୍ଡାର୍ଡ’ ସମ୍ମାନ ପାଇବ ୧୯୭୧ ଯୁଦ୍ଧରେ ପାକିସ୍ତାନର ଯୁଦ୍ଧପୋତ ବୁଡ଼ାଇଥିବା ଭାରତୀୟ ନୌସେନାର ‘କିଲର୍‌ ସ୍କ୍ବାଡ୍ରନ୍‌’

ନୂଆଦିଲ୍ଲୀ: ‘କିଲର୍‌ ସ୍କ୍ବାଡ୍ରନ୍‌’ ଭାବେ ପରିଚିତ ଭାରତୀୟ ନୌସେନାର ୨୨ଶ ‘ମିସାଇଲ୍‌ ଭେସେଲ୍‌ ସ୍କ୍ବାଡ୍ରନ୍‌’କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ପ୍ରେଜିଡେଣ୍ଟସ୍‌ ଷ୍ଟାଣ୍ଡାର୍ଡ’ ସମ୍ମାନ ଅର୍ପଣ କରିବେ। ଡିସେମ୍ବର ୮ ତାରିଖ ଦିନ ମୁମ୍ବାଇ ନେଭାଲ୍‌ ଡକ୍‌ୟାର୍ଡରେ ଆୟୋଜନ କରାଯିବାକୁ ଥିବା ବର୍ଣ୍ଣାଢ଼୍ୟ ପରେଡ୍‌ରେ ଉପରୋକ୍ତ ଦୁର୍ଲଭ ସମ୍ମାନ ପ୍ରଦାନ କରାଯିବ।

ସ୍ମରଣଯୋଗ୍ୟ, ୧୯୭୧ର ନିର୍ଣ୍ଣାୟକ ଯୁଦ୍ଧରେ ନୌସେନାର ‘୨୨ଶ ମିସାଇଲ୍‌ ଭେସେଲ୍‌ ସ୍କ୍ବାଡ୍ରନ୍‌’ କରାଚି ବନ୍ଦରରେ ବୋମା ପକାଇ ପାକିସ୍ତାନୀ ନୌସେନାର ପୋତଗୁଡ଼ିକୁ ବୁଡ଼ାଇ ଦେଇଥିଲା। ୨୦୨୧ରେ ଦେଶବ୍ୟାପୀ ୧୯୭୧ ଯୁଦ୍ଧର ‘ସ୍ବର୍ଣ୍ଣିମ ବିଜୟ ବର୍ଷ’ ପାଳନ ଅବସରରେ ‘କିଲର୍‌ ସ୍କ୍ବାଡ୍ରନ୍‌’କୁ ଏହି ସମ୍ମାନ ପ୍ରଦାନ କରାଯିବ।

Image Courtesy of NDTV

ଏ ସଂକ୍ରାନ୍ତରେ ରବିବାର ଦିନ ଜାରି ହୋଇଥିବା ଔପଚାରିକ ବିବୃତିରେ ଉଲ୍ଲେଖ ଅଛି, ଉପରୋକ୍ତ ସମ୍ମାନ ପ୍ରଦାନ ଉତ୍ସବ ପାଳନ ଅବସରରେ ଡାକ ବିଭାଗ ତରଫରୁ ଗୋଟାଏ ‘ସ୍ବତନ୍ତ୍ର ଦିବସ ଲଫାପା’ ଏବଂ ‘ସ୍ମାରକୀ ଡାକଟିକଟ’ ମଧ୍ୟ ରିଲିଜ୍‌ କରାଯିବ। ଉକ୍ତ ଉତ୍ସବରେ ମହାରାଷ୍ଟ୍ରର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ‘ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌’ ଏବଂ ଅନ୍ୟ କେତେକ ବେସାମରିକ ଓ ସାମରିକସ୍ତରୀୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇପାରନ୍ତି।

ଜାତି ଉଦ୍ଦେଶ୍ୟରେ କରିଥିବା ଉଲ୍ଲେଖନୀୟ ସେବାର ସ୍ବୀକୃତିସ୍ବରୂପ ସେନାର ସୁପ୍ରିମ୍‌ କମାଣ୍ଡର୍‌ଙ୍କଦ୍ବାରା ସର୍ବୋଚ୍ଚ ସମ୍ମାନ ‘ପ୍ରେଜିଡେଣ୍ଟ୍‌ସ୍‌ ଷ୍ଟାଣ୍ଡାର୍ଡ’ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର