ଲକ୍ଷ୍ନୌ: ଭାରତରେ ବର୍ଷକୁ ପ୍ରାୟ ୩୦,୦୦୦ ଲିଭର୍ ପ୍ରତିରୋପଣ ଆବଶ୍ୟକ ପଡୁଥିବା ବେଳେ ମାତ୍ର ୧୫୦୦ ଲିଭର୍ ପ୍ରତିରୋପଣ କରାଯାଉଥିବା କଥା ଗୁରୁବାର ଦିନ ଉତ୍ତର ପ୍ରଦେଶସ୍ଥିତ ‘ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍’ର ନିର୍ଦେଶକ ପ୍ରଫେସର୍ ରାଧାକୃଷ୍ଣ ଧିମନ କହିଛନ୍ତି।
ଭାରତୀୟ ଅଙ୍ଗଦାନ ଦିବସ ଅବ୍ୟବହିତ ପୂର୍ବରୁ ଗୁରୁବାର ଦିନ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟସ୍ଥିତ ‘ମାଲଭୀୟ ଅଡିଟରିୟମ୍’ରେ ‘ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍’ ଏକ ଜନସଚେତନତା ଏବଂ ଅଙ୍ଗ ଓ ଟିସ୍ୟୁ ଦାନ ନିମନ୍ତେ ଶପଥ ଅଭିଯାନ ଆୟୋଜନ କରିଥିଲା।
ଏହି ତ୍ରୟୋଦଶ ‘ଭାରତୀୟ ଅଙ୍ଗଦାନ ଦିବସ’ରେ ଉଦ୍ବୋଧନ ଦେଇ ପ୍ରଫେସର୍ ରାଧାକୃଷ୍ଣ ଧିମନ କହିଲେ, ଦେଶରେ ବର୍ଷକୁ ପ୍ରାୟ ୫ ଲକ୍ଷ ଲୋକଙ୍କର ହୃଦ୍ଘାତ ହେଉଛି, କିନ୍ତୁ ମାତ୍ର ୧୦/୧୫ଟି ହୃତ୍ପିଣ୍ଡ ପ୍ରତିରୋପଣ କରାଯାଉଛି। ସେହିପରି, ଦେଶରେ ବର୍ଷକୁ ପ୍ରାୟ ୩୦,୦୦୦ ଲିଭର୍ ପ୍ରତିରୋପଣ ଆବଶ୍ୟକ ପଡୁଥିବା ବେଳେ ମାତ୍ର ୧୫୦୦ ଲିଭର୍ ପ୍ରତିରୋପଣ କରାଯାଉଛି। ଉଚିତ ସମୟରେ ଲିଭର୍ ବା ‘ଯକୃତ୍’ ପ୍ରତିରୋପଣ କରାଯାଇ ମାତ୍ର ୧୦%ରୁ୧୫% ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରୁଛି। ଦାତା ଓ ଗ୍ରହୀତାଙ୍କ ମଧ୍ୟରେ ବ୍ୟାପକ ବ୍ୟବଧାନ ରହୁଥିବାରୁ ଭାରତରେ ବର୍ଷକୁ ଲିଭର୍ ଅକାମିକା ଅଥବା ଲିଭର୍ କର୍କଟରୋଗରେ ହାରାହାରି ୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି।
/sambad/media/post_attachments/wp-content/uploads/2023/08/odd.jpg)
ସେ ଆହୁରି ମଧ୍ୟ କହିଛନ୍ତି, ‘ନ୍ୟାସ୍ନାଲ୍ ଅର୍ଗାନ୍ ଆଣ୍ଡ୍ ଟିସ୍ୟୁ ଟ୍ରାନ୍ସ୍ପ୍ଲାଣ୍ଟ୍ ଅର୍ଗାନାଇଜେସନ୍’ (ନୋଟୋ) କହିବା ଅନୁସାରେ, ୧୯୯୫ରୁ ମାତ୍ର ୨,୫୪୬ଜଣ ଲୋକ ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି, ୩୪,୦୯୪ ଲୋକ ଜୀବନ୍ତ ଅବସ୍ଥାରେ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ କ୍ରମାଗତ ଉନ୍ନତି ଫଳରେ ଏହା ସୁନିଶ୍ଚିତ ହୋଇ ପାରିଛି ଯେ, ଜଣେ ବ୍ୟକ୍ତିଙ୍କ ପ୍ରଦତ୍ତ ଅଙ୍ଗ ୮ଜଣ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିପାରିବ। ଏବଂ, ଟିସ୍ୟୁ ଦାନ ପ୍ରାୟ ୭୫ଜଣଙ୍କ ଜୀବନ ବଞ୍ଚାଇ ପାରିବ।
କେବଳ ଲିଭର୍ ବା ହୃତ୍ପିଣ୍ଡ ନୁହେଁ, କିଡ୍ନି, କର୍ଣ୍ଣିଆ, ଫୁସ୍ଫୁସ୍ ଏବଂ ଆହୁରି ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଦାନ ଗ୍ରହଣ ପାଇଁ ବି ଅନେକ ରୋଗୀ ଅପେକ୍ଷା କରିଛନ୍ତି।