ଓ୍ଵାଶିଂଟନ୍‌: ଭାରତର ଚନ୍ଦ୍ରଯାନ-୩ର ଅଭୂତପୂର୍ବ ସଫଳତା ପରେ ଏବେ ଭାରତକୁ ବିଶ୍ୱ ଦରବାରରେ ମଧ୍ୟ ମିଳୁଛି ସଫଳତା ଓ ସମ୍ମାନ। ଏହି କ୍ରମରେ ଆମେରିକୀୟ ମହାକାଶ ଏଜେନ୍‌ସି ନାସାର ନୂଆ କାର୍ଯ୍ୟକ୍ରମ ‘ଚନ୍ଦ୍ରରୁ ମଙ୍ଗଳ’ର ପ୍ରଥମ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ସଫ୍‌ଟୱେର୍‌ ଏବଂ ରୋବୋଟିକ୍ସ ଇଞ୍ଜିନିୟରଙ୍କୁ ନିଯୁକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାସା ଚନ୍ଦ୍ରରେ ଦୀର୍ଘକାଳୀନ ଉପସ୍ଥିତି ସୁନିଶ୍ଚିତ କରିବାକୁ ଯୋଜନା କରିଛି, ଯାହା ଦ୍ୱାରା ଲୋହିତ ଗ୍ରହକୁ ମାନବ ଜାତିର ପରବର୍ତ୍ତୀ ବିଶାଳ ଯୋଜନା ପାଇଁ ପ୍ରସ୍ତୁତ କରାଯିବ । ଶ୍ରୀ କ୍ଷତ୍ରିୟ ତୁରନ୍ତ ଏହି କାର୍ଯ୍ୟାଳୟର ପ୍ରଥମ ମୁଖ୍ୟ ଭାବେ ଯୋଗଦେବେ ବୋଲି ଏଜେନ୍‌ସି ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତିରେ କୁହାଯାଇଛି।

Advertisment

ନାସା ପ୍ରଶାସକ ବିଲ୍‌ ନେଲସନ ଏକ ବିବୃତିରେ କହିଛନ୍ତି ଯେ ଚନ୍ଦ୍ରରୁ ମଙ୍ଗଳ କାର୍ଯ୍ୟକ୍ରମ ନାସାର ଚନ୍ଦ୍ରରେ  ସାହସିକ ଅଭିଯାନ କରିବା ଏବଂ ମଙ୍ଗଳଗ୍ରହରେ ପ୍ରଥମ ମନୁଷ୍ୟ ଅବତରଣ କରିବାକୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ବର୍ତ୍ତମାନ ଅନୁସନ୍ଧାନର ସୁବର୍ଣ୍ଣ ଯୁଗ ଚାଲିଛି ଏବଂ ଏହି ନୂତନ କାର୍ଯ୍ୟକ୍ରମ ନାସାକୁ ସଫଳତାର ସହ ଏକ ଦୀର୍ଘକାଳୀନ ଚନ୍ଦ୍ର ଉପସ୍ଥିତି ସ୍ଥାପନ କରିବାରେ ସାହାଯ୍ୟ କରିବ।

ହାର୍ଡୱେର ଡେଭଲପମେଣ୍ଟ, ମିଶନ ଇଣ୍ଟିଗ୍ରେସନ ଏବଂ ରିସ୍କ ମ୍ୟାନେଜମେଣ୍ଟ ଭଳି କାର୍ଯ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ହେବ। ବୈଜ୍ଞାନିକ ଆବିଷ୍କାରର ଏକ ନୂତନ ଯୁଗ ଆରମ୍ଭ କରିବା ଏବଂ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପାଇଁ ପ୍ରସ୍ତୁତ କରିବା ପାଇଁ ଏହା ଚନ୍ଦ୍ରରେ ଆର୍ଟେମିସ୍‌ ମିସନକୁ ବ୍ୟବହାର କରିବ।

ଉଲ୍ଲେଖଯୋଗ୍ୟ, ଶ୍ରୀ କ୍ଷତ୍ରିୟ ୨୦୦୩ ମସିହାରେ ମହାକାଶ ବିଜ୍ଞାନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ମୁଖ୍ୟତଃ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ର ରୋବୋଟିକ୍‌ ଆସେମ୍ବଲି ଉପରେ ଧ୍ୟାନ ଦେଇଥିଲେ।  ସଫ୍‌ଟୱେର ଇଞ୍ଜିନିୟରିଂ ଓ ରୋବୋଟିକ୍ସ ଇଞ୍ଜିନିୟରି ଏବଂ ମହାକାଶଯାନ ଅପରେଟର ଭାବରେ ସେ କାର୍ଯ୍ୟ କରିଥିଲେ। ଏବେ ଶ୍ରୀ କ୍ଷତ୍ରିୟ ତାଙ୍କ ନୂଆ ଭୂମିକାରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପାଇଁ କାର୍ଯ୍ୟକ୍ରମ ଯୋଜନା ଓ କାର୍ଯ୍ୟକାରିତା ଦାୟିତ୍ୱରେ ରହିବେ।