ନୂଆଦିଲ୍ଳୀ: ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ପାଞ୍ଚ ଜଣ କୋରିଆନ ମହିଳାଙ୍କୁ ନିଶା ଦେଇ ସେମାନଙ୍କ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ କୋରିଆନ୍‌ ମହିଳାମାନଙ୍କୁ ନିଶା ଦେଇ ସେମାନଙ୍କ ଦୁଷ୍କର୍ମ କରିବା ବେଳେ ତାହାକୁ ହିଡେନ୍‌ କ୍ୟାମେରାରେ ସୁଟ୍‌ କରିଥିଲେ ବୋଲି ସିଡନୀ ମର୍ନିଂ ହେରାଲ୍ଡ ରିପୋର୍ଟ କରିଛି।

Advertisment

ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ ଧନକର୍‌। ଅଦାଲତ ତାଙ୍କ ବିରୋଧରେ ୨୦୧୮ ମସିହା ଜାନୁଆରି ମାସରୁ ଅକ୍ଟୋବର ମଧ୍ୟରେ ରହିଥିବା ୧୩ଟି ଦୁଷ୍କର୍ମ ସହ ସମୁଦାୟ ୩୯ଟି ମାମଲାର ଶୁଣାଣି କରିଛନ୍ତି। ସିଡନୀ ଜିଲ୍ଲା କୋର୍ଟର ଜୁରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ତାଙ୍କ ବିରୋଧରେ ରହିଥିବା ୩୯ଟି ମାମଲାର ଶୁଣାଣି କରି ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ବ‌େଳେ ସେ କାନ୍ଦି ପକାଇଥିଲେ। ସେ ପୁଣି ଥରେ ମେ ମାସରେ କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି।

ଜୁରି ଶୁଣିବାକୁ ପାଇଲେ ଯେ ଧନକର୍‌ଙ୍କ ଏକ ନିର୍ଦ୍ଦିଷ୍ଟ ତରିକାରେ ମହିଳାଙ୍କୁ ଫସାଉଥିଲେ। ସେ ନକଲି କୋରିଆନ୍‌ ଅନୁବାଦକ ଚାକିରି ଦେବା ନାମରେ ମହିଳାଙ୍କୁ ଫସାଇ ସେମାନଙ୍କ ଦୁଷ୍କର୍ମ କରୁଥିଲେ। ସୂଚନା ରହିଛି ଯେ ଧନକର୍‌ କୋରିଆନ୍‌ ମହିଳାମାନଙ୍କୁ କେତୋଟି ନିର୍ଦ୍ଦିଷ୍ଟ ହୋଟେଲ୍‌, ରେଷ୍ଟୁରାଣ୍ଟ୍‌ ଓ କ୍ୟାଫେରେ ଭେଟୁଥିଲେ। ତାପରେ ସେ କେଉଁ ଆପାର୍ଟମେଣ୍ଟ୍‌ କିମ୍ବା ଷ୍ଟୁଡିଓକୁ ନେଇ ସେଠାରେ ମହିଳାମାନଙ୍କୁ ନିଶା ଦେଇ ଅଚେତ କରି ଦେଉଥିଲେ ଓ ସେଠାରେ ସେମାନଙ୍କ ଇଜ୍ଜତ ଲୁଟୁଥିଲେ।