ନୂଆଦିଲ୍ଲୀ: ଲଣ୍ଡନ୍ସ୍ଥିତ ଗୋଟିଏ ବେଡ୍ରୁମ୍ ଥିବା ଏକ ଆପାର୍ଟମେଣ୍ଟ୍ରେ ଥାଇ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଫେବ୍ରୁଆରି ୧୯ ତାରିଖ ଦିନ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ‘ନାସା’ର ‘ପର୍ସୁଭିୟରାନ୍ସ୍ ରୋଭର୍’କୁ ନିୟନ୍ତ୍ରଣ କରୁଛନ୍ତି।
ଦକ୍ଷିଣ ଲଣ୍ଡନରେ ଭଡ଼ା ନେଇଥିବା ଫ୍ଲାଟ୍ରୁ ‘ମାର୍ସ ରୋଭର୍’କୁ ନିୟନ୍ତ୍ରଣ କରୁଥିବା ଉକ୍ତ ବୈଜ୍ଞାନିକ ହେଉଛନ୍ତି ପ୍ରଫେସର୍ ସଞ୍ଜୀବ ଗୁପ୍ତା। ପ୍ରଫେସର୍ ଗୁପ୍ତା କାଲିଫର୍ଣ୍ଣିଆରେ ଥିବା ‘ଜେଟ୍ ପ୍ରପ୍ୟୁଲେସନ୍ ଲାବ୍ରୋଟରି’ରେ ଥାଇ ଏହି କାର୍ଯ୍ୟ ସମ୍ପାଦନ କରିବା କଥା। କିନ୍ତୁ, କୋଭିଡ୍-୧୯ଜନିତ କଟକଣା ଯୋଗୁଁ ସେ ଲଣ୍ଡନ୍ରୁ ବାହାରକୁ ଯାଇ ପାରି ନ ଥିଲେ।
ତେଣୁ, ଲଣ୍ଡନ୍ର ଦକ୍ଷିଣାଞ୍ଚଳରେ ଥିବା ଲୁଇସ୍ହାମ୍ସ୍ଥିତ ଏକ ‘ହେୟାର୍ଡ୍ରେସର୍’ର ଉପର ତାଲାରେ ଥିବା ଫ୍ଲାଟ୍ଟିକୁ ସେ ଭଡ଼ା ନେଇ ସେଠାରେ ଥାଇ କାମ କରିବେ ବୋଲି ସ୍ଥିର କରିଥିଲେ। ତାଙ୍କ ପତ୍ନୀ ଓ ପିଲାମାନଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି ନ କରିବାକୁ ସେ ଏ ଭଳି ସ୍ଥାନରେ ଗୋଟିକିଆ ବେଡ୍ରୁମ୍ ଥିବା କୋଠରି ଭଡ଼ା ନେଇଛନ୍ତି ବୋଲି କହନ୍ତି।
/sambad/media/post_attachments/wp-content/uploads/2021/03/mars1.jpg)
ଭଡ଼ା ନେଇଥିବା ଏହି ଆପାର୍ଟମେଣ୍ଟ୍କୁ ପ୍ରଫେସର୍ ଗୁପ୍ତ ଗୋଟାଏ ‘ମିନି କଣ୍ଟ୍ରୋଲ୍ ସେଣ୍ଟର୍’ରେ ପରିଣତ କରିଛନ୍ତି। ସେଠାରେ ରଖିଛନ୍ତି ଅନ୍ୟୂନ ୫ଟି କମ୍ପ୍ୟୁଟର୍ ଏବଂ ‘ନାସା’ରେ ଥିବା ତାଙ୍କ ସହକର୍ମୀ ବୈଜ୍ଞାନିକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗ୍ ନିମନ୍ତେ ଆଉ ଦୁଇଟି ‘ସ୍କ୍ରିନ୍’।
‘ନାସା’ ପାଇଁ କାର୍ଯ୍ୟ କରୁଥିବା ଅନ୍ୟତମ ଅଗ୍ରଣୀ ବୈଜ୍ଞାନିକ ପ୍ରଫେସର୍ ଗୁପ୍ତା ହେଉଛନ୍ତି ଲଣ୍ଡନ୍ରେ ଥିବା ‘ଇମ୍ପେରିଆଲ୍ କଲେଜ୍’ର ଜଣେ ପ୍ରବୀଣ ଭୂତତ୍ତ୍ୱବିତ୍।
୪୦୦ ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ଟିମ୍ରେ ସାମିଲ୍ ହୋଇ ପ୍ରଫେସର୍ ସଞ୍ଜୀବ ଗୁପ୍ତା ମଙ୍ଗଳ ପୃଷ୍ଠରୁ ନମୁନା ସଂଗ୍ରହ ନିମନ୍ତେ ଗର୍ତ୍ତ ଖୋଳିବା ପାଇଁ ସେ ‘ପର୍ସୁଭିୟରାନ୍ସ୍ ରୋଭର୍’କୁ ନିର୍ଦେଶ ଦେଉଛନ୍ତି। ସେଠାରୁ ସଂଗୃହୀତ ନମୁନା ୨୦୨୭ ସୁଦ୍ଧା ପୃଥିବୀକୁ ଅଣାଯିବ।
ଉଲ୍ଲେଖଯୋଗ୍ୟ, ‘ନାସା’ର ଏହି ‘ମଙ୍ଗଳ-ପୃଷ୍ଠରେ-ଜୀବନ’ ଅଭିଯାନରେ ପ୍ରାୟ ୩ ବିଲିୟନ୍ ଆମେରିକୀୟ ଡଲାର୍ ବ୍ୟୟ ହୋଇଛି।