ଫ୍ଲୋରିଡା ସ୍କୁଲ୍‌ ଗୁଳିକାଣ୍ଡ: ବହୁ ପିଲାଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀ

ନ୍ୟୁୟର୍କ: ଫ୍ଲୋରିଡା ସ୍କୁଲ୍‌ ଗୁଳିକାଣ୍ଡରେ କିଛି ପିଲାଙ୍କ ଜୀବନ ବଞ୍ଚାଇ ଥିବା ଜଣେ ଭାରତୀୟ ଗଣିତ ଶିକ୍ଷୟିତ୍ରୀଙ୍କ ପ୍ରଶଂସାରେ ଏବେ ଲୋକ ଶତମୁଖ ହୋଇଠିଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କୁ ‘ମିସେ୍‌ ଭି’ ଡାକୁଥିଲେ ମଧ୍ୟ ତାଙ୍କର ପ୍ରକୃତ ନାଁ ଶାନ୍ତି ବିଶ୍ୱନାଥନ୍‌। ତାଙ୍କର ସାହସିକ କାର୍ଯ୍ୟକୁ ଅନେକ ଗଣମାଧ୍ୟମ ପ୍ରଶଂସାପୂର୍ବକ ଛାପିଛନ୍ତି।

ସେଦିନ ଦ୍ୱିତୀୟ ଥର ଲାଗି ଫାୟାର୍‌ ଆଲାର୍ମ ବାଜିବା ଶୁଣିବା ମାତ୍ରେ ଗଣିତ ଶିକ୍ଷୟିତ୍ରୀ ସତର୍କ ହୋଇ ଯାଇଥିଲେ। କେହି ଜାଣି ନ ଥିଲେ ତାଙ୍କ ବୀଜ ଗଣିତ ପଢ଼ା ଖୁବ୍‌ ଶୀଘ୍ର ଗୋଳମାଳିଆ ହେବାକୁ ଯାଉଛି ବୋଲି।

ବିଶ୍ୱନାଥନ୍‌ଙ୍କ ମନକୁ ଆସିଲା ପିଲାମାନଙ୍କୁ ପଦାକୁ ଦୌଡ଼ି ଯିବାକୁ ନ ଛାଡ଼ି ସ୍କୁଲ୍‌ ଭିତରେ ରଖିବା ହିଁ ନିରାପଦରେ ରକ୍ଷା କରି ହେବ। ତେଣୁ ସେ ପିଲାମାନଙ୍କୁ କହିଲେ କି, ସଭିଏଁ ଯାଇ ଶ୍ରେଣୀ କକ୍ଷର ଗୋଟାଏ ଜାଗାରେ ଚଟାଣରେ ହାମୁଡ଼େଇ ପଡ଼ିବାକୁ। ତା’ଛଡ଼ା ଝରକାରେ କାଗଜ ଲଗେଇ ଦେବାକୁ ମଧ୍ୟ କହିଥିଲେ। ଫଳରେ ଭିତରେ କେହି ଅଛନ୍ତି କି, ନାହିଁ ଜଣାପଡ଼ିବନି। ଏମିତି କରି ସେ କିଛି ପିଲାଙ୍କର ଜୀବନ ରକ୍ଷା କରି ପାରିଛନ୍ତି। କାରଣ ଯଦି ସେମାନେ ବାହାରକୁ ଦୌଡ଼ି ଯାଇ ଥାଆନ୍ତେ, ହୁଏ ତ ଗୁଳି ଚୋଟରେ ପ୍ରାଣ ହରାଇ ଥାଆନ୍ତେ।

କୁହାଯାଉଛି ଏସ୍‌ଡବ୍ଲୁଏଟି ଟିମ୍‌ ଆସିବା ପରେ ମଧ୍ୟ ବିଶ୍ୱନାଥନ୍‌ କବାଟ ଖୋଲି ନ ଥିଲେ। ସେ କହିଥିଲେ: କବାଟ ଭାଙ୍ଗି ଦିଅ ନ ହେଲେ ଚାବିରେ ଖୋଲ। ମୁଁ ଖୋଲିବି ନାହିଁ। ତାଙ୍କର ଡର ଥିଲା ବୋଧହୁଏ ବନ୍ଧୁକଧାରୀ ଡାକୁଛନ୍ତି। ଶେଷରେ ଏସ୍‌ଡବ୍ଲୁଏଟି ଟିମ୍‌ କବାଟ ଭାଙ୍ଗି ପଶିଥିଲେ।

ଛାତ୍ରଛାତ୍ରୀଙ୍କ ମଙ୍ଗଳ ପାଇଁ ସମର୍ପିତା ଶ୍ରୀମତୀ ବିଶ୍ୱନାଥନ୍‌ଙ୍କୁ ଜଣେ ବିଚିତ୍ର ଶିକ୍ଷିକା ବୋଲି କୁହାଯାଉଛି। ପିଲାମାନଙ୍କୁ କୌଣସିମତେ ପାଠ ବୁଝାଇ ତାଙ୍କୁ ସଫଳ କରାଇବାରେ ସେ ସହାୟିକା ହୁଅନ୍ତି।

ସମ୍ବନ୍ଧିତ ଖବର