ଆମେରିକା ପର୍ବତ ଶୃଙ୍ଗରୁ ୫୦୦ ଫୁଟ୍‌ ତଳକୁ ପଡ଼ି ମଧ୍ୟ ବଞ୍ଚିଗଲେ ୧୬ ବର୍ଷିୟ ଭାରତୀୟ ବଂଶୋଦ୍ଭବ ପର୍ବତାରୋହୀ

ଓ୍ଵାସିଂଟନ୍‌: ଉପକୂଳବର୍ତ୍ତୀ ଯୁକ୍ତରାଷ୍ଟ୍ର ଆମେରିକୀୟ ପ୍ରଦେଶ ଓରେଗନ୍‌ସ୍ଥିତ ୧୧, ୨୪୦ ଫୁଟ୍‌ ଉଚ୍ଚ ‘ହୁଡ୍‌ ଶୃଙ୍ଗ’ରୁ ୫୦୦ ଫୁଟ୍‌ ତଳକୁ ଖସି ପଡ଼ି କାନାଡାର ଜଣେ ୧୬ ବର୍ଷିୟ ଭାରତୀୟ ବଂଶୋଦ୍ଭବ ବାଳକ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି।

ନିଜର ୯୦ତମ ପର୍ବତାରୋହଣ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ସରେରେ ବସବାସ କରୁଥିବା ଗୁରବାଜ୍‌ ସିଂହ ନିଜ ବନ୍ଧୁମାନଙ୍କ ସହ ‘ହୁଡ୍‌ ଶୃଙ୍ଗ’ ଆରୋହଣ କରୁଥିବା ବେଳେ ବରଫରେ ପାଦ ଖସିଯିବାରୁ ସେ ‘ପର୍ଲି ଗେଟ୍‌ସ୍‌‘ ପର୍ବତ ଶ୍ରେଣୀରୁ ତଳେ ଥିବା ପର୍ବତ ଶ୍ରେଣୀ ‘ଡେଭିଲ୍‌ସ୍‌ କିଚେନ୍‌’କୁ ଖସି ପଡ଼ିଥିଲେ।  ଏତେ ଉଚ୍ଚରୁ ପଡ଼ିବା ସତ୍ତ୍ୱେ ଗୁରବାଜଙ୍କର କେବଳ ଗୋଟାଏ ଗୋଡ଼ ଭାଙ୍ଗିଯାଇଛି।

Image Source: Huffpost India

୧୦, ୫୦୦ ଫୁଟ୍‌ ଉଚ୍ଚରେ ପଡ଼ିଥିବା ଗୁରବାଜ୍‌ଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀଦଳଙ୍କୁ ଅନେକ ସମୟ ଲାଗିଥିଲ ବୋଲି ବୋଲି ‘ସିଏନ୍‌ଏନ୍‌’ ଅନୁବନ୍ଧିତ ‘କେଏଟିୟୁ’ ଚାନେଲ୍‌ ରିପୋର୍ଟ କରିଛି।

ଗୁରବାଜ୍‌ଙ୍କ ବାପା ରିଶମଦୀପ ସିଂହ କହନ୍ତି, ‘ଖସି ପଡ଼ିବା ପରେ ଗୁରବାଜ୍‌ ଭାବିଲା ସେ କେଉଁଠି ନା କେଉଁଠି ଲାଖି ରହିଯିବ। ସେଥିଲାଗି ସେ ପର୍ବତାରୋହୀ ଧରୁଥିବା କୁରାଢ଼ିରେ  ଚୋଟ ବସାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ, ଏଡ଼େ ବେଗରେ ସେ ଗଡ଼ି ଗଡ଼ି ଯାଉଥିଲା ଯେ ଚୋଟ ବସାଇବାକୁ ଫୁରସତ୍‌ ପାଇଲା ନାହିଁ।’

ପୋର୍ଟଲାଣ୍ଡ୍‌ର ଏକ ଡାକ୍ତରଖାନାରେ ଆହତ ଗୁରବାଜ୍‌ଙ୍କର ଚିକିତ୍ସା କରାଯାଇଛି। ଉତ୍ତମ ତାଲିମ ଏବଂ ହେଲ୍‌ମେଟ୍‌ ପିନ୍ଧିଥିବାରୁ ସେ ବିଶେଷ ଆହତ ହୋଇ ନାହାନ୍ତି ବୋଲି ଡାକ୍ତରମାନେ କହିଛନ୍ତି।

କିନ୍ତୁ, ପଡ଼ିବା ପରେ ତାଙ୍କ ହେଲ୍‌ମେଟ୍‌ଟି ଭାଙ୍ଗି ଚୂରମାର୍‌ ହୋଇଯାଇଥିଲା!

ସମ୍ବନ୍ଧିତ ଖବର