ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଦେଶର ସ୍ୱତନ୍ତ୍ର କମାଣ୍ଡୋଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଓ ସର୍ବାଧୁନିକ ମାରଣାସ୍ତ୍ର ଯୋଗାଇବ ପ୍ରତିରକ୍ଷା ବିଭାଗ
ନୂଆଦିଲ୍ଲୀ: ଆଣବିକ କ୍ଷମତା ସମ୍ପନ୍ନ ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ମଧ୍ୟରେ ଏବେ ନୂତନ ବନ୍ଧୁତା ସୃଷ୍ଟି ହେବାପରେ ଏବେ ଭାରତ ସୀମାନ୍ତରେ ଅଯଥା ଉତ୍ତେଜନା ସୃଷ୍ଟି କରୁଛନ୍ତି ଉଭୟ ରାଷ୍ଟ୍ର। ଜମ୍ମୁ- କଶ୍ମିରରେ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହନ ସହ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଆତଙ୍କର ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଅହରହ ପ୍ରୟାସ ଜାରି ରଖିଛି ପଡ଼ୋଶୀ ପାକିସ୍ତାନ। ପାକ୍ ଅଧିକୃତ କାଶ୍ମିର (ପିଓକେ)ରେ ଆତଙ୍କବାଦୀମାନଙ୍କୁ ଆଣି ତାଲିମ ପ୍ରଦାନ କରିବା ସହ ଭାରତ ମଧ୍ୟକୁ ପଠାଇବାକୁ ସୁଯୋଗ ଅପେକ୍ଷାରେ ରହୁଛି। ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ମୁହଁତୋଡ଼ ଜବାବ ଦେଇ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରି ଏକାଧିକ ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଥିଲେ ସୁଦ୍ଧା ପାକିସ୍ତାନ ଏଥିରୁ ଶିକ୍ଷା ଲାଭ କରିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ପରିସ୍ଥିତରେ ଆତଙ୍କବାଦୀମାନଙ୍କ ମୁକାବିଲା କରିବା ପାଇଁ ଭାରତୀୟ ସେନାର ସ୍ପେଶାଲ ଫୋର୍ସ କମାଣ୍ଡୋ, ନୌସେନାର ‘ମାର୍କୋସ୍’ କମାଣ୍ଡୋ, ଏନ୍ଏସ୍ଜି କମାଣ୍ଡୋ ବାହିନୀଙ୍କ ଘୋର ଆବଶ୍ୟକତା ପଡ଼ୁଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ଭାରତୀୟ କମାଣ୍ଡୋ ବାହିନୀଙ୍କୁ ବିଶ୍ୱରେ ଉପଲବ୍ଧ ଥିବା ସର୍ବଶ୍ରେଷ୍ଠ ଓ ସର୍ବାଧୁନିକ ଉଚ୍ଚକ୍ଷମତା ସଂପନ୍ନ ମାରଣାସ୍ତ୍ର ସବୁକୁ ଯୋଗାଇ ଦେବା ପାଇଁ ଭାରତୀୟ ପ୍ରତିରକ୍ଷା ବିଭାଗ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନା ଅଧୀନରେ ରହିଥିବା ବିଭିନ୍ନ କମାଣ୍ଡୋ ବାହିନୀଙ୍କୁ ଫିନ୍ଲାଣ୍ଡ, ସ୍ୱିଡେନ୍, ଇଟାଲି, ଋଷିଆ, ଇସ୍ରାଏଲ୍ ଏବଂ ଜର୍ମାନୀରେ ନିର୍ମିତ ବିଭିନ୍ନ ପ୍ରକାରର ସର୍ବଶ୍ରେଷ୍ଠ ଓ ସର୍ବାଧୁନିକ ଉଚ୍ଚକ୍ଷମତା ସଂପନ୍ନ ମାରଣାସ୍ତ୍ର ସବୁକୁ ଆମଦାନି କରି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ପ୍ରତିରକ୍ଷା ବିଭାଗ।
ପାକିସ୍ତାନ ସୀମା ଭିତରେ ପଶି ସଫଳତା ପୂର୍ବକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ଭାରତୀୟ ସେନାର ପାରା ସ୍ପେଶାଲ ଫୋର୍ସ କମାଣ୍ଡୋମାନଙ୍କୁ ଖୁବ୍ ଶୀଘ୍ର ଫିନିସ୍ ସାକୋ ସ୍ନିପର ରାଇଫଲ୍, ସ୍ୱିଡିସ୍ କାର୍ଲ ଗଷ୍ଟାଫ୍ ମାର୍କ-୪ ଲାଇଟ୍ େଓ୍ଵଟ୍ ରକେଟ୍ ଲଞ୍ଚର, ସାଇଲେନ୍ସର ଯୁକ୍ତ ଇଟାଲିଆନ୍ ବ୍ରିଟା ପିସ୍ତଲ ଆଦି ଯୋଗାଇ ଦେଉଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ସେହିପରି ନୌସେନାର ମାର୍କୋସ୍ କମାଣ୍ଡୋ ଓ ଏନ୍ଏସ୍ଜି କମାଣ୍ଡୋମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସର୍ବଶ୍ରେଷ୍ଠ ଓ ସର୍ବାଧୁନିକ ଉଚ୍ଚକ୍ଷମତା ସଂପନ୍ନ ମାରଣାସ୍ତ୍ର ସବୁକୁ ବିଦେଶରୁ ମଗା ଯାଇଥିବା ଜାଣିବାକୁ ମିଳିଛି।