ଓହାଇଓ: ଆମେରିକାର ‘ସିନ୍ସିନାଟି ବିଶ୍ବବିଦ୍ୟାଳୟ’ରେ ପିଏଚ୍.ଡି. କରୁଥିବା ଜଣେ ୨୬ ବର୍ଷିୟ ଭାରତୀୟ ଛାତ୍ରଙ୍କୁ ଅଳ୍ପ ଦିନ ତଳେ ଓହାଇଓ ଅଞ୍ଚଳରେ ଗୋଟାଏ କାର୍ ଭିତରେ ଗୁଳି ମାରି ହତ୍ୟା କରାଯାଇଥିବା କଥା ଗଣମାଧ୍ୟମ ‘ଫକ୍ସ ୧୯’ ରିପୋର୍ଟ କରିଛି।
ହାମିଲ୍ଟନ୍ କାଉଣ୍ଟି କରୋନର୍ କାର୍ଯ୍ୟାଳୟରୁ ତଥ୍ୟ ସଂଗ୍ରହ କରି ‘ଫକ୍ସ ୧୯’ ରିପୋର୍ଟ କରିଛି, ‘ମଲିକ୍ୟୁଲାର୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟାଲ୍ ବାୟୋଲୋଜି ପ୍ରୋଗ୍ରାମ୍’ରେ ପିଏଚ୍.ଡି. କରୁଥିବା ଆଦିତ୍ୟ ଅଦ୍ଲଖା ନାମରେ ଉକ୍ତ ଛାତ୍ରଙ୍କୁ ନଭେମ୍ବର ୯ ତାରିଖ ଦିନ ଗୁଳି ମରାଯାଇଥିଲା। ନଭେମ୍ବର ୧୮ ତାରିଖ ଦିନ ବିଶ୍ବବିଦ୍ୟାଳୟର ମେଡିକାଲ୍ ସେଣ୍ଟର୍ରେ ତାଙ୍କର ମୃତ୍ୟୁ ଘଟିଲା।
ୱେଷ୍ଟର୍ଣ୍ଣ ହିଲ୍ସ୍ ଭାୟାଡକ୍ଟ୍ର ପାଚେରିରେ ଧକ୍କା ଖାଇଥିବା ଗୋଟାଏ କାର୍ ଭିତରୁ ସିନ୍ସିନାଟି ପୁଲିସ ଆଦ୍ଲଖାଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରିଥିଲା। ନଭେମ୍ବର ୯ ତାରିଖ ସକାଳ ପ୍ରାୟ ୬.୨୦ରେ ଗୁଳି ଫୁଟା ଶବ୍ଦ ଶୁଣିଥିବା କଥା ସ୍ଥାନୀୟ ଲୋକେ କହିଥିଲେ। ତାଙ୍କ କାର୍ ଉପରକୁ ଏକାଧିକ ଥର ଗୁଳି ଚଳାଯାଇଥିଲା। ତେଣୁ, ଡ୍ରାଭର୍ ପାର୍ଶ୍ବ ୱିଇଣ୍ଡୋରେ ଗୁଳିଦ୍ବାରା ହୋଇଥିବା ଅନ୍ୟୂନ ୩ଟି ଛିଦ୍ର ଥିଲା।
ଆଦ୍ଲାଖାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ କିଛି ଦିନ ସଙ୍କଟାପନ୍ନ ଅବସ୍ଥାରେ ରହି ଶେଷରେ ମୃତ୍ୟୁବରଣ କଲେ। ତାଙ୍କୁ ଆକ୍ରମଣ କରାଯିବାର କାରଣ ଜଣାପଡ଼ିନାହିଁ। ଏହି ଘଟଣାରେ ଏଯାବତ୍ କାହାକୁ ଗିରଫ ମଧ୍ୟ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ରାମଜସ କଲେଜରୁ ୨୦୧୮ରେ ପ୍ରାଣୀ ବିଜ୍ଞାନରେ ସ୍ନାତକ କରିବା ପରେ ୨୦୨୦ରେ ଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରୁ ଶରୀର ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଥିଲେ।