ତାଲିବାନ-ଆଫଗାନ ସେନା ସଂଘର୍ଷ ବେଳେ ଭାରତୀୟ ଫଟୋ ସାମ୍ବାଦିକ ମୃତ

ତାଲିବାନ ଅପହରଣ କରି ହତ୍ୟା କରିଥିବା ସଂଦେହ

କାବୁଲ : ଭାରତରେ ରଏଟର୍ସର ମୁଖ୍ୟ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଡାନିସ ସିଦ୍ଦିକି ଆଫଗାନିସ୍ଥାନରେ ମୃତ୍ୟୁବରଣ କରିଛନ୍ତି । ଯୁଦ୍ଧ ବିଧ୍ବସ୍ତ ଆଫଗାନସ୍ଥାନରେ ସେ କର୍ତ୍ତବ୍ୟରତ ଥିବାବେଳେ ମୃତ୍ୟୁବରଣ କରିଛନ୍ତି ।

ସେ ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେ ସେଠାକୁ ଯାଇଥିଲେ ।  ତାଲିବାନର ଗୁଳିରେ ସେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି, କାରଣ ସେ ଆଫଗାନ ସୈନିକମାନଙ୍କ ଗହଣରେ ରହି ଫଟୋ ଉଠାଉଥିଲେ ।

Image

ସ୍ପିନ ବୋଲଡକ୍ ଜିଲ୍ଲାରେ ଥିବା ଆଫଗାନ-ପାକିସ୍ତାନ ସୀମା ଚେକପୋଷ୍ଟକୁ ତାଲିବାନ ଅଧିକାର କରିନେଇଥିବାବେଳେ ତାହାକୁ ପୁଣି ଅଧିକାର କରିବାକୁ ଗତ କିଛି ଦିନ ହେଲା ଆଫଗାନ ସେନା ପ୍ରବଳ ଆକ୍ରମଣ ଚଳାଇଛି । ଏହି ଆକ୍ରମଣରେ ଅନେକ ତାଲିବାନ ସେନା ପ୍ରାଣ ହରାଇଥିବା ଜଣାପଡ଼ିଛି । ଆହତ ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆଫଗାନିସ୍ଥାନର ଉପରାଷ୍ଟ୍ରପତି ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସେନା ତାଲିବାନକୁ ସମର୍ଥନ କରୁଛି । ଏପରିକି ବିମାନ ସହାୟତା ପ୍ରଦାନ କରୁଛି । ଆଫଗାନିସ୍ଥାନରୁ ଆମେରିକୀୟ ଓ ନାଟୋ ସେନାର ପ୍ରତ୍ୟାବର୍ତ୍ତନ ପରେ ଏହି ଦେଶକୁ ଅଧିକାର କରିବାକୁ  ତାଲିବାନ ପୁଣି ଲଢେଇ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର