ଆ‌ଫ୍‌ଗାନ ସଂଘର୍ଷ: ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କୁ ହତ୍ୟା

ନୂଆଦିଲ୍ଲୀ : ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କୁ ଆଫଗାନିସ୍ତାନରେ ହତ୍ୟା କରାଯାଇଛି। ଆଫଗାନିସ୍ତାନର କାନ୍ଦାହାର ସହର ସ୍ଥିତ ସ୍ପିନ୍‌ ବୋଲଦାକ୍‌ ଜିଲ୍ଲାରେ ଆଫଗାନ୍‌ ସୁରକ୍ଷାବାହିନୀ ଏବଂ ତାଲିବାନ୍‌ମାନଙ୍କ ସଂଘର୍ଷର ଖବର ସଂଗ୍ରହ କରୁ୍‌ଥିବା ସିଦ୍ଦିକି ତାଲିବାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆଫଗାନ୍‌ ସ୍ବତନ୍ତ୍ର ବାହିନୀ ସହ ତାଙ୍କୁ ଖବର ସଂଗ୍ରହ ପାଇଁ ପଠାଯାଇଥିଲା। ଭାରତରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମମୁନ୍‌ଡଜେ ଡାନିଶଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

ଫରିଦ କହିଛନ୍ତି, ଗତ ରାତିରେ ବନ୍ଧୁ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁ ଘଟଣା ଖୁବ୍‌ କଷ୍ଟ ଦେଇଛି। ଭାରତୀୟ ସାମ୍ବାଦିକ ଏବଂ ପୁଲିଜର ପ୍ର‌ାଇଜ୍‌ ବିଜେତା ଡାନିଶ୍‌ଙ୍କୁ ମୁଁ ୨ ସପ୍ତାହ ପୁର୍ବେ ଦେଖିଥିଲି ବୋଲି ଫରିଦ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨ ସପ୍ତାହ ପୂର୍ବେ ଡାନିଶ୍‌ କାବୁଲ୍‌ ଯାଇଥିଲେ। ପୁଲିଜର ପ୍ରାଇଜ୍‌ ବିଜେତା ଡାନିଶ ସିଦ୍ଦିକି ଜଣେ ଟିଭି ନ୍ୟୁଜ୍‌ ରିପୋର୍ଟର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ‌ସେ ଫଟୋଜର୍ଣ୍ଣାଲିଜିମ୍‌ରେ କ୍ୟାରିୟର କଲେ। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସରେ ସେ ଜଣେ ଫଟୋସାମ୍ବାଦିକ ଥିଲେ। ୨୦୦୮ ସେପ୍ଟେମ୍ବରରୁ ୨୦୧୦ ପର୍ଯ୍ୟନ୍ତ ସେ ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ ଜଣେ କରେସପଣ୍ଡେଣ୍ଟ୍‌ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୮ରେ ସେ ପୁଲିଜର ପ୍ରାଇଜ୍‌ ପାଇଥିଲେ। ବିଶ୍ବବ୍ୟାପୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେ କାମ କରିଛନ୍ତି।

ଆଫଗାନିସ୍ତାନ ଏବଂ ଇରାକ୍‌ରେ ଯୁଦ୍ଧ ସହ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ , ହଂକଂ ଆନ୍ଦୋଳନ ଏବଂ ନେପାଳ ଭୂକମ୍ପ ପରି ଅନେକ ପ୍ରସଙ୍ଗରେ ତାଙ୍କର କାମ ବେଶ୍‌ ଉଲ୍ଲେଖନୀୟ ଥିଲା।। ଗତ କିଚି ଦିନ ଧରି ସେ ଆଫଗାନିସ୍ତାନର କାନ୍ଦାହାରରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଖବର ସଂଗ୍ରହ କରୁଥିଲେ ଏବଂ ସଂଘର୍ଷସ୍ଥଳର ଅତି ନିକଟରେ ସକ୍ରିୟ ଥିଲେ।

ସମ୍ବନ୍ଧିତ ଖବର