ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଏବଂ ସରବଜୋତ ସିଂ କାଂସ୍ୟ ପଦକ ଜିତିଛନ୍ତି। ଦୁଇ ଖେଳାଳିଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନାସନାଲ ପିସ୍ତଲ ସୁଟିଂ କୋଚ ସମରେଶ ଜଙ୍ଗଙ୍କ ଘର ଯେକୌଣସି ସମୟରେ ଭାଙ୍ଗି ଦିଆଯିବା ନେଇ ନୋଟିସ ଜାରି କରାଯାଇଛି।
ଅଲିମ୍ପିଆନ୍ ସମରେଶ ଜଙ୍ଗ ନୂଆଦିଲ୍ଲୀର ସିଭିଲ୍ ଲାଇନ୍ସର ଖେବର ପାସ ଅଞ୍ଚଳରେ ରୁହନ୍ତି। ଏହି ଅଞ୍ଚଳରେ ବସବାସ କରୁଥିବା ସମରେଶ ଓ କିଛିଲୋକଙ୍କୁ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଜମି ଏବଂ ବିକାଶ କାର୍ଯ୍ୟାଳୟ ନୋଟିସ ଜାରି କରିଛି। ଏହି ନୋଟିସରେ ଦର୍ଶାଯାଇଛି ଯେ ଖେବର ପାସ୍ କଲୋନି ଯେଉଁ ଜମିରେ ଅବସ୍ଥିତ ତାହା ପ୍ରତିରକ୍ଷା ମନ୍ତ୍ରାଳୟର ଅଟେ । ତେଣୁ ଏହା ବେଆଇନ୍ ଅଟେ।
ଏହି ଘଟଣାକୁ ନେଇ ବେଜିଂ ୨୦୦୮ ଅଲିମ୍ପିକ୍ସରେ ଭାଗ ନେଇଥିବା ଜଙ୍ଗ କହିଛନ୍ତି, ‘ଜଣେ ଅଲିମ୍ପିଆନ୍ ଭାବରେ ମୁଁ ଅତି କମରେ ସମ୍ମାନଜନକ ବିଦାୟ ଆଶା କରୁଛି। ଘର ଭଙ୍ଗା ଯାଉ ଏଥିରେ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ଏଥିପାଇଁ ଅତି କମରେ ଦୁଇମାସ ସମୟ ଦିଆଯାଉ।
ମୁଁ ଜାଣି ନାହିଁ ଏହି ଭଙ୍ଗାରୁଜା କାହିଁକି ହେଉଛି। କ’ଣ ପାଇଁ ଲୋକଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି। ହଠାତ କ’ଣ ପାଇଁ ସମ୍ପୂର୍ଣ୍ଣ କଲୋନିକୁ ବେଆଇନ ଘୋଷଣା କରାଗଲା। ଦୁଇଦିନ ପୂର୍ବରୁ କୁହାଗଲା ଘର ଖାଲି କରିବାକୁ ହେବ। ଏହା କ’ଣ ନ୍ୟାୟର କଥା। ମୋ ପରିବାର ୭୫ବର୍ଷ ହେବ ଏଠାରେ ରହି ଆସୁଛି। ’
ଜଙ୍ଗ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ଭାରତୀୟ ଅଲିମ୍ପିକ ଆସୋସିଏସନ ମୁଖ୍ୟ ପି.ଟି ଉଷାଙ୍କୁ ଟ୍ୟାଗ କରିଛନ୍ତି।