ଆମେରିକାରେ ଭାରତୀୟ ଜନସଂଖ୍ୟା ୮ ବର୍ଷ‌ରେ ୫୦ ପ୍ରତିଶତ ବୃଦ୍ଧି

ୱାସିଂଟନ୍‌ : ଆମେରିକାରେ ରହୁଥିବା ଭାରତୀୟଙ୍କ ସଂଖ୍ୟା ଗତ ୮ ବର୍ଷ ମଧ୍ୟରେ ପ୍ରାୟ ୯ ଲକ୍ଷ ବୃଦ୍ଧି ପାଇଛି। ସେନ୍‌ସସ୍‌ ବ୍ୟୁରୋର ୨୦୧୮ ଏସିଏସ୍‌ (ଆମେରିକାନ୍‌ କମ୍ୟୁନିଟି ସର୍ଭେ) ତଥ୍ୟ ଅନୁଯାୟୀ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ୨୦୧୦ରେ ୧୭.୮ ଲକ୍ଷ ଥିବାବେଳେ ଏହା ୨୦୧୮ରେ ୨୬.୫ ଲକ୍ଷକୁ ବୃଦ୍ଧି ପାଇଛି। ତେବେ ଗତ ୮ ବର୍ଷ ମଧ୍ୟରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକାରେ ଭାରତରୁ ନୂଆ ଆପ୍ରବାସୀଙ୍କ ସଂଖ୍ୟା‌ ୨୦୧୭ରେ ୧.୬ ଲକ୍ଷ ଥିଲା ଏବଂ ୨୦୧୮ରେ ଏହା ୮୮,୦୦୦କୁ କମି ଆସିଛି। ଅନ୍ୟପକ୍ଷେ ଆମେରିକାରେ ଚୀନ୍‌ ଜନସଂଖ୍ୟା ୨୦୧୦ରୁ ୨୦୧୮ ମଧ୍ୟରେ ୩୨ ପ୍ରତିଶତ ବୃଦ୍ଧି ପାଇଛି।

ଆମେରିକାନ୍‌ କମ୍ୟୁନିଟି ସର୍ଭେ (ଏସିଏସ୍‌) ଦ୍ବାରା ଜୁଲାଇ ୧, ୨୦୧୮ ପର୍ଯ୍ୟନ୍ତ ଆମେରିକାର ଜନସଂଖ୍ୟା ଆକଳନରୁ ଜଣାପଡ଼ିଛି ଯେ ଏହି ସମୟ ସୁଦ୍ଧା ଆମେରିକାରେ ସମୁଦାୟ ଜନସଂଖ୍ୟା ୩୨୭ ନିୟୁତ ଥିବାବେଳେ ଏଥି ମଧ୍ୟରେ ବିଦେଶ ଜନ୍ମିତ ଜନସଂଖ୍ୟା ୪୪.୭ ନିୟୁତ ରହିଛି। ଅର୍ଥାତ୍‌ ମୋଟ୍‌ ଆମେରିକୀୟ ଜନସଂଖ୍ୟାର ୧୩.୭ ପ୍ରତିଶତ ହେଉଛି ବିଦେଶ ଜନ୍ମିତ ଜନସଂଖ୍ୟା। ୨୦୧୦ ତୁଳନାରେ ଆମେରିକାରେ ବିଦେଶ ଜନ୍ମିତ ଜନସଂଖ୍ୟା ଖୁବ୍‌ କମ୍‌ ବଢ଼ିଛି। ଏହି ସମୟ ମଧ୍ୟରେ ବିଦେଶ ଜନ୍ମିତ ଜନସଂଖ୍ୟା ମାତ୍ର ୦.୪ ପ୍ରତିଶତ ବଢ଼ିଛି।

ତଥ୍ୟ ଅନୁଯାୟୀ ଜୁଲାଇ ୧, ୨୦୧୮ ସୁଦ୍ଧା ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୨.୬୫ ନିୟୁତ ଥିଲା। ଜୁଲାଇ ୨୦୧୮ ସୁଦ୍ଧା ଆମେରିକାରେ ସମୁଦାୟ ବିଦେଶ ଜନ୍ମିତ ଜନସଂଖ୍ୟା ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଥିଲା ୫.୯ ପ୍ରତିଶତ। କିନ୍ତୁ ଆମେରିକୀୟ ଜନସଂଖ୍ୟାର ଏହା ୧ ପ୍ରତିଶତ ଥିଲା। ତେବେ ୨୦୧୦ରୁ ୨୦୧୮ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୮.୭ ଲକ୍ଷ ବୃଦ୍ଧି ପାଇଛି। ଆଉ ୨୦ ବର୍ଷ ପୂର୍ବକୁ ଫେରିଗଲେ ତଥା ୧୯୯୦ରେ ଆମେରିକାରେ ଥିବା ଭାରତୀୟଙ୍କ ସଂଖ୍ୟା‌ ମାତ୍ର ୪.୫ ଲକ୍ଷ ଥିଲା। ଏହି ସମୟରୁ ୨୦୧୮ ପର୍ଯ୍ୟନ୍ତ ଭାରତୀୟଙ୍କ ସଂଖ୍ୟା ୪୮୯ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକାରେ ଚୀନ୍‌ର ଜନସଂଖ୍ୟା ୨୦୧୦ରେ ୨.୧୬ ନିୟୁତରୁ ୨୦୧୮ରେ ୨.୮୪ ନିୟୁତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର