ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ପେଟରେ ଯନ୍ତ୍ରଣା ହେବା ସହ ମାସିକ ଧର୍ମ ହେଲା, ନିଜ ବନ୍ଧୁଙ୍କ ଏପରି ଅବସ୍ଥା ଦେଖି ଭାରତୀୟ ରେଳକୁ ସାହାଯ୍ୟ ପାଇଁ ଟୁଇଟ୍‌ କଲେ ଯୁବକ, ତା’ପରେ…

ନୂଆଦିଲ୍ଲୀ : ଏବେ ସୋସିଆଲ ଭିଡିଆରେ ଭାରତୀୟ ରେଳବାଇ କରିଥିବା କାମକୁ ନେଇ ଖୁବ୍‌ ପ୍ରଶଂସା କରାଯାଉଛି । ଠିକ୍‌ ସମୟରେ କରିଥିବା ଏକ ଟୁଇଟ୍‌ ପାଇଁ ଭାରତୀୟ ରେଳବାଇ ଏବେ ଚର୍ଚ୍ଚାରେ । ଜାନୁଆରି ୧୩ରେ ଜଣେ ଯୁବକ ନିଜ ମହିଳା ବନ୍ଧୁଙ୍କ ସହ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ଯୁବତୀଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କିଛି ସମୟ ପରେ ଯୁବତୀଙ୍କ ମାସିକ ଧର୍ମ ହୋଇଥିବା ଜାଣି ପାରିଥିଲେ ଯୁବକ ।

ଯନ୍ତ୍ରଣା ବଢ଼ିବା ପରେ ଅନ୍ୟ କିଛି ବାଟ ନ ପାଇ ଯୁବକଜଣଙ୍କ ରେଳମନ୍ତ୍ରୀ ପିୟୁଷ ଗୋୟଲ ଏବଂ ଭାରତୀୟ ରେଳବାଇକୁ ଟୁଇଟ୍‌ କରି,ଦୟା କରି ସାହାଯ୍ୟ କରନ୍ତୁ । ମୋର ଜଣେ ବନ୍ଧୁ ଟ୍ରେନ୍‌ ନମ୍ବର ୫୬୦୯୦ର କୋଚ୍‌ ଏସ୍‌୭ରେ ସିଟ୍‌ ନମ୍ବର ୩୭ରେ ଯାତ୍ରା କରୁଛନ୍ତି । ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଛି । ଦୟାକରି ଔଷଧ ଉପଲବ୍ଧ କରାନ୍ତୁ ବୋଲି ଲେଖିଥିଲେ । ଟୁଇଟ୍‌ କରିବାର ୧୩ ମିନିଟ୍‌ ମଧ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ରି-ଟୁଇଟ୍‌ କରାଯାଇ ପିଏନ୍‌ଆର୍‌ ନମ୍ବର ଏବଂ ଯୋଗାଯୋଗ କରିବାର ନମ୍ବର ମଗା ଯାଇଥିଲା ।

ସବୁ ବିବରଣୀ ଦେବା ପରେ ଯୁବତୀଙ୍କୁ ଠିକ୍‌ ସମୟରେ ଔଷଧ ମିଳିଥିଲା ଏବଂ ସେ ଠିକ୍‌ ହୋଇ ପାରିଥିଲେ । ରେଳବାଇର ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ଦେବା ଏବଂ ସାହାଯ୍ୟ ଯୋଗାଇ ଦେବାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ସମସ୍ତେ ରେଳବାଇର ଏଭଳି କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର