ନୂଆଦିଲ୍ଲୀ : ବର୍ଷା ହେଲେ ବା ମୌସୁମୀ ଆସିଲେ ରେଲ ଟ୍ରାକ୍ରେ ପାଣି ଜମି ଯାଇଥାଏ । ଫଳରେ ରେଳ ଯାତ୍ରା ବାଧାପ୍ରାପ୍ତ ହୋଇଥାଏ । ଦୂର ସ୍ଥାନକୁ କୌଣସି କାମରେ ଯାଉଥିବା ଯାତ୍ରୀ ଠିକ୍ ସମୟରେ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚିପାରନ୍ତି ନାହିଁ । ଟ୍ରାକ୍ ବୁଡ଼ିବା ପରେ କିଛି ଇଞ୍ଜିନ ଫେଲ୍ ଯାଇଥାଏ । କିନ୍ତୁ ଏବେ ମୌସୁମୀ ଆସିଲେ ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ବିନା ବିଳମ୍ବରେ ଠିକ୍ ସମୟରେ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚି ପାରିବେ । ଯାତ୍ରୀମାନଙ୍କୁ ହେଉଥିବା ଏହି ଅସୁବିଧାକୁ ଆଖି ଆଗରେ ରଖି କେନ୍ଦ୍ରୀୟ ରେଳବାଇ ଓ୍ଵାଟରପ୍ରୁଫ୍ ଲୋକୋମୋଟିଭ୍ ଇଞ୍ଜିନ ନିର୍ମାଣ ଆରମ୍ଭ କରିବା ପାଇଁ ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି ।

ଏହି ଇଞ୍ଜିନ ୧ ଫୁଟ୍ ପାଣିରେ ବି ଚାଲିବାରେ ସକ୍ଷମ ହେବ ବୋଲି ସୂଚନା ମିଳିଛି । ଏବେ ଯେଉଁ ଓ୍ଵାଟରପ୍ରୁଫ୍ ଇଞ୍ଜିନ ରହିଛି ତାହା କେବଳ ୪ଇଞ୍ଚ ପାଣିରେ ଚାଲି ପାରୁଛି । ତା’ଠାରୁ ଅଧିକ ପାଣି ହେଲେ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ ହେଉଛି । ସେଥିପାଇଁ ଇଞ୍ଜିନର ଡିଜାଇନରେ ପରିବର୍ତ୍ତନ ଅଣାଯାଇ ଟ୍ରେନର ଇଞ୍ଜିନ କିପରି ୧୨ଇଞ୍ଚ୍ ପାଣିରେ ଚାଲି ପାରିବ ସେ ନେଇ ଯୋଜନା ଆରମ୍ଭ କରିଛି କେନ୍ଦ୍ରୀୟ ରେଳବାଇ । କେନ୍ଦ୍ରୀୟ ରେଳବାଇର ମୁଖ୍ୟ ପିଆର୍ଓଙ୍କ କହିବା ଅନୁଯାୟୀ,ବର୍ଷା ସମୟରେ ଯାତ୍ରୀଙ୍କୁୁ ହେଉଥିବା ଅସୁବିଧାକୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି । ଏହି ଇଞ୍ଜିନ ଅଧିକ ବର୍ଷା ସମୟରେ ଫସି ରହିଥିବା ରେଳ ଡ଼ବାକୁ ଟାଣିବାରେ ସମର୍ଥ ହେବ ବା ରେଳ ଡ଼ବାକୁ ଫସିବାକୁ ଦେବ ନାହିଁ ।