ଜାରି ରହିବ ‘ଓ୍ବେଟିଂ ଟିକଟ’ ବ୍ୟବସ୍ଥା : ଭାରତୀୟ ରେଳ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସୁଦ୍ଧା ରେଳଯାତ୍ରୀଙ୍କ ପାଇଁ ଓ୍ବେଟିଂ ଟିକଟ ବ୍ୟବସ୍ଥାକୁ ଉଠାଇଦିଆଯିବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ସତ୍ୟତା ନାହିଁ ବୋଲି ଭାରତୀୟ ରେଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ଗତକାଲି ଭାରତୀୟ ରେଳ ପକ୍ଷରୁ ଚିଠା ଜାତୀୟ ରେଳଯୋଜନା ପ୍ରକାଶିତ ହୋଇଥିଲା । ଏହି ଚିଠା ଯୋଜନାକୁ ଉଦ୍ଧାର କରି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ରେଳଯାତ୍ରାରେ ୨୦୨୪ ସୁଦ୍ଧା ଓ୍ବେଟିଂ ଟିକଟ ବ୍ୟବସ୍ଥା ଉଠିଯିବ ଓ କେବଳ କନଫର୍ମଡ୍ ଟିକସ ପ୍ରଦାନ କରାଯିବ । ଏସମ୍ପର୍କରେ ଭାରତୀୟ ରେଳ ପକ୍ଷରୁ ଜାରି ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ କେତେକ ଗଣମାଧ୍ୟମ ଚିଠା ଜାତୀୟ ରେଳ ଯୋଜନାର ଭୁଲ ଅର୍ଥ ବାହାର କରିଛନ୍ତି । ଚିଠା ରେଳ ଯୋଜନାରେ କୁହାଯାଇଛି ଯେ ଆଗାମୀ ବର୍ଷଗୁଡ଼ିକରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନଗୁଡ଼ିକର କ୍ଷମତା ବୃଦ୍ଧି କରାଯିବ । ଫଳରେ ଅଧିକ ଯାତ୍ରୀ ଯାତ୍ରା କରିପାରିବେ ଓ ଓ୍ବେଟିଂ ଟିକଟ ସଂଖ୍ୟା ଆପେ ଆପେ କମିଯିବ ।  କିନ୍ତୁ ଏହାର ଅର୍ଥ ନୁହେଁ ଯେ ଓ୍ବେଟିଂ ଟିକଟ ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ । ଓ୍ବେଟିଂ ଟିକଟର ଅର୍ଥ ହେଉଛି ଗୋଟିଏ ଟ୍ରେନରେ ଯେତିକି ଆସନ ଅଛି, ତା ତୁଳନାରେ ଯାତ୍ରୀଙ୍କ ଚାହିଦା ଅଧିକ ରହିଛି ।

ସମ୍ବନ୍ଧିତ ଖବର