ପ୍ରତିଦିନ ୫ଟି ମୂଷା ମାରିବା ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କରିଦେଲା ରେଳବାଇ

ମୁମ୍ବାଇ: ପଶ୍ଚିମ ରେଳପଥରେ ଚାଲୁଥିବା ଇଲେକ୍ଟ୍ରିକ ଟ୍ରେନଗୁଡ଼ିକୁ  ଚଳାଇବା ପାଇଁ ହଜାର ହଜାର ତାର ଲଗାଯାଇଥାଏ। ବିଭିନ୍ନ ସିଗନାଲକୁ ସଠିକ୍ ଭାବେ ଚାଲୁ ରଖିବା ପାଇଁ ତାର ଠିକ୍ ଭାବେ ଯୋଡ଼ି ହୋଇ ରହିବ ଅତ୍ୟନ୍ତ ଜରୁରୀ। ଏ ମଧ୍ୟରୁ ଗୋଟେ ବି ତାର କଟିଗଲେ ସିଗନାଲ ବନ୍ଦ ହୋଇଯିବା ସହ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ତେବେ ଲଗାଯାଇଥିବା ତାରକୁ ମୂଷାମାନେ କାଟି ଦେଉଥିବାରୁ ଅନେକ ସମୟରେ ଟ୍ରେନ ଚଳାଚଳରେ ବାଧା ଉପୁଜିଥାଏ। ଏହା ସହ ଯାତ୍ରୀଙ୍କ ଜିନିଷକୁ ମୂଷା କାଟି ଦେଉଥିବାରୁ ଅନେକ ସମୟରେ ଅସନ୍ତୋଷ ଦେଖାଯାଇଥାଏ। ଏଭଳି ସମସ୍ୟାର ସମାଧାନ କରିବାକୁ ଯାଇ ରେଳବାଇ ୩ବର୍ଷରେ ମୂଷା ମାରିବା ପାଇଁ ୧.୫୨କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ମୂଷା ପ୍ରକୋପରୁ ତାରକୁ ବଞ୍ଚାଇବା ସହ ଯାତ୍ରୀମାନଙ୍କ ଜିନିଷକୁ ବଞ୍ଚାଇବା ପାଇଁ ପ୍ରତିଦିନ ରେଳବାଇ ୧୪,୦୦୦ଟଙ୍କା ଖର୍ଚ୍ଚ କରିଥିବା କହିଛି। ‌ତେବେ ସବୁଠାରୁ ବଡ଼ କଥା ହେଲା ଏତେ କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ରେଳବାଇ ମାତ୍ର ୫,୪୫୭ଟି ମୂଷା ମାରିବାରେ ସଫଳ ହୋଇ ପାରିଛି।

Image result for railways
The Better India

ସୂଚନା ମୁତାବକ, ୩ ବର୍ଷ ମଧ୍ୟରେ ପଶ୍ଚିମ ରେଳପଥ ପେଷ୍ଟ କଣ୍ଟ୍ରୋଲ (କୀଟ ନାଶକ ବ୍ୟବସ୍ଥା) କରିବା ପାଇଁ ୧,୫୨,୪୧,୬୮୯ଟଙ୍କା ଖର୍ଚ୍ଚ କରିଥିବା କହିଛି। ଦିନ ପିଛା ୧୪,୦୦୦ଟଙ୍କା ଖର୍ଚ୍ଚ କରି ମଧ୍ୟ ରେଳବାଇ ଦିନକୁ ମାତ୍ର ୫ଟି ମୂଷା ମାରିବାରେ ସଫଳ ହୋଇ ପାରିଛି। ଆରଟିଆଇ ଜରିଆରେ ଏ ନେଇ ପଶ୍ଚିମ ରେଳପଥକୁ ମଗା ଯାଇଥିବା ସୂଚନା ଅନୁଯାୟୀ, ଟ୍ରେନରେ ମୂଷାମାନଙ୍କ ଦମନ ଲାଗି ବଗି ଓ ଧାରଣାରେ ପେଷ୍ଟ କଣ୍ଟ୍ରୋଲ କରାଯାଇଥିଲା। ଏହି କାମକୁ କରିବା ପାଇଁ ଠିକାଦାରମାନଙ୍କୁ ନିଯୁକ୍ତ କରାଯାଇଥିଲା। ଯାହା ପାଇଁ ଏତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର