ମେ ୧ରୁ ଏଯାବତ୍ ୮୦୦ଟ୍ରେନ୍‌ ଯୋଗେ ୧୦ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଯାଇଛି: ରେଳମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ହଜାରହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗୃହରାଜ୍ୟରେ ପହଞ୍ଚାଇବା ପାଇଁ ଭାରତୀୟ ରେଳ ପକ୍ଷରୁ ସମଗ୍ର ଦେଶରେ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ କରାଯାଇଛି। ମଇ ୧ ତାରିଖରୁ ଏଯାବତ ପ୍ରାୟ ୧୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହିତ ୮୦୦ ସ୍ୱତନ୍ତ୍ର ଟ୍ରେନ ଯୋଗେ ସୁରକ୍ଷିତ ଭାବେ ଘରକୁ ପଠାଇ ଦିଆଯାଇଛି।

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଟୁଇଟରରେ ସୂଚନା ଦେଇ କହିଛନ୍ତି ଯେ, ମଇ ମାସ ଆରମ୍ଭରୁ ୮୦୦ ‘ଶ୍ରମିକ’ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଥରଥର କରି ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା। ଏହି କ୍ରମରେ ଏଯାବତ ୮୦୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ପ୍ରାୟ ୧୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚିବା ପାଇଁ ସାହାଯ୍ୟ କରାଯାଇଛି, ଯେଉଁମାନେ କି ଲକ୍‌ଡାଉନ୍‌ ସମୟରେ ନିଜର ଜୀବିକା ହରାଇଥିଲେ।

ଅନ୍ୟ ଏକ ଟୁଇଟରେ ପିୟୁଷ ଗୋଏଲ ବିଶ୍ୱବ୍ୟାପୀ ସଙ୍କଟ ସମୟରେ ଅସୁବିଧାରେ ପଡ଼ିଥିବା ନାଗରିକଙ୍କ ସୁବିଧା ଓ ସୁରକ୍ଷିତ ଯାତ୍ରା ଉପରେ ବିଶେଷ ଧ୍ୟାନ ଦେଇଥିବାରୁ ରେଳବାଇର କର୍ମଚାରୀମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହିତ ଆଉ ଏକ ଟୁଇଟରେ ରାଜସ୍ଥାନର ଯୋଧପୁର ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍‌ ଭିତରେ ବସି ପ୍ରବାସୀ ଶ୍ରମିକମାନେ କର୍ଣ୍ଣାଟକର ହୁବ୍ଦାଳି ରେଳ ଷ୍ଟେସନରେ ହାତ ହଲାଉ ଥିବାର ଏକ ଚିତ୍ର ମଧ୍ୟ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର