ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଏକ ନୂଆ ପଦକ୍ଷେପ ଅଧୀନରେ ଟ୍ରେନ୍ର ଅଣସଂରକ୍ଷିତ ବଗିରେ ଯାତ୍ରା କରୁଥିବା ଟ୍ରେନ୍ ଯାତ୍ରୀମାନେ ଏବେ ଷ୍ଟେସନଗୁଡ଼ିକରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଖାଦ୍ୟ ଏବଂ ଜଳଖିଆ ପାଉଛନ୍ତି।
ଭାରତୀୟ ରେଳବାଇର ୧୦୦ରୁ ଅଧିକ ଷ୍ଟେସନ ଏବଂ ପାଖାପାଖି ୧୫୦ଟି କାଉଣ୍ଟରରେ ଏହି ମିଲ୍ କାଉଣ୍ଟର କାର୍ଯ୍ୟକ୍ଷମ ରହିଥିବା ବେଳେ ଆଗାମୀ ଦିନରେ ଏହି ସୁବିଧାକୁ ଆହୁରି ବିସ୍ତାର କରାଯିବ।
ରେଳବାଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ସହିତ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ, ବିଶେଷକରି ଅଣସଂରକ୍ଷିତ କୋଚ୍ ରେ ଥିବା ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଖାଦ୍ୟ ଏବଂ ଜଳଖିଆ ପ୍ରଦାନ କରିବା ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରୁଛି।
ସେ ଆହୁରି ମଧ୍ୟ କହିଛନ୍ତି, ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ ଏବଂ ଏହାକୁ ଦୃଷ୍ଟିରେ ରଖି ଅଣସଂରକ୍ଷିତ ବଗି (ସାଧାରଣ ଶ୍ରେଣୀ କୋଚ୍)ରେ ଯାତ୍ରା କରୁଥିବା ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଆହ୍ଵାନଗୁଡ଼ିକୁ ମଧ୍ୟ ସ୍ୱୀକାର କରୁଛୁ, ଯେଉଁମାନଙ୍କ ପାଖରେ ସର୍ବଦା ସୁବିଧାଜନକ ଏବଂ ବଜେଟ୍ ଅନୁକୂଳ ଭୋଜନ ବିକଳ୍ପ ଉପଲବ୍ଧ ହୋଇ ନପାରେ।
ରେଳବାଇର କହିବା ଅନୁଯାୟୀ, ଅଣସଂରକ୍ଷିତ ବଗି (ସାଧାରଣ ଶ୍ରେଣୀ କୋଚ୍)ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହି ସୁବିଧାକୁ ସହଜ ଓ ସୁନିଶ୍ଚିତ କରିବା ପାଇଁ ପ୍ଲାଟଫର୍ମରେ ଲାଗୁଥିବା ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ନିକଟରେ ଏହି ଖାଦ୍ୟ କାଉଣ୍ଟରଗୁଡ଼ିକୁ ସୁବିଧାରେ ରଖାଯାଇଛି।