‘ଚନ୍ଦ୍ରଯାନ-୨’ ପ୍ରକ୍ଷେପଣ ପାଇଁ ଭାରତ ପ୍ରସ୍ତୁତ, ସୋମବାର ଭୋର୍ ୨ଟା ୫୧ରେ ପ୍ରକ୍ଷେପଣ
୯୭୮ କୋଟି ଟଙ୍କାର ପ୍ରକଳ୍ପ, ମହାକାଶ ଯାନର, ଓଜନ ୩.୮ ଟନ୍
ନୂଆଦିଲ୍ଲୀ: ମହକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ‘ଚନ୍ଦ୍ରଯାନ-୨’ ର ପ୍ରକ୍ଷେପଣ ସୋମବାର କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଛି। ୧୯୬୯, ଜୁଲାଇ ୨୦ ତାରିଖରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦ ଥାପିଥିଲେ। ଏହିଦିନକୁ ୫୦ ବର୍ଷ ପୂର୍ତ୍ତି ହେବାର ମାତ୍ର ୫ ଦିନ ପୂର୍ବରୁ ଭାରତ ଏହାର ପ୍ରଥମ ଚନ୍ଦ୍ର ଅବତରଣ ମିସନ୍, ‘ଚନ୍ଦ୍ରଯାନ-୨ ’ଉତ୍କ୍ଷେପଣ କରିବାକୁ ଯୋଜନା କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସୋମବାର (ଜୁଲାଇ ୧୫ ) ଭୋର୍ ୨.୫୧ ମିନିଟ୍ ସମୟରେ ଆନ୍ଧ୍ରପ୍ରଦେଶ , ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଦ୍ବିତୀୟ ମାନବବିହୀନ ମିସନ୍ ‘ଚନ୍ଦ୍ରଯାନ-୨’ର ଉତ୍କ୍ଷେପଣ କରିବ। ‘ଚନ୍ଦ୍ରଯାନ-୨ ’ ମହାକାଶ ଯାନର ଓଜନ ୩.୮ ଟନ୍। ଏହା ସମୁଦାୟ ୯୭୮ କୋଟି ଟଙ୍କାର ପ୍ରକଳ୍ପ। ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍ଭି ଏମ୍କେ-୩’ ରକେଟ୍ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ଚନ୍ଦ୍ରଯାନ-୨। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ୍ ଜାରି ରଖିବ। ଏହି ମିସନ୍ରେ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ , ଆଇରନ୍ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ମଧ୍ୟ ଏହି ମିସନ୍ ଅଧ୍ୟୟନ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ସବୁଠୁ ଓଜନଦାର ରକେଟ୍ ଜିଏସ୍ଏଲ୍ଭି ଏମ୍କେ-୩ ‘ବାହୁବଳୀ’ ରେ ଚନ୍ଦ୍ରଯାନ-୨ ଉତ୍କ୍ଷେପଣ କରାଯିବ। ୬୪୦ ଟନ୍ର ଏହି ରକେଟ୍ ୩.୮ ଟନ୍ର ଚନ୍ଦ୍ରଯାନକୁ ବହନ କରିବ। ଚନ୍ଦ୍ରଯାନ-୨ରେ ଖଂଜା ଯାଇଥିବା ‘ପେଲୋଡ’ ଗୁଡ଼ିକ ଚନ୍ଦ୍ରର ଉତ୍ପତ୍ତି ଏବଂ ପୃଥିବୀ ସହ ଏହା କିଭଳି ଜଡ଼ିତ ତାହା ବୁଝାଇବାରେ ସହାୟକ ହେବ। ଏହାବାଦ୍ ଚନ୍ଦ୍ରପୃଷ୍ଠରେ ବରଫ ପାଲଟି ଯାଇଥିବା ଜଳ ସନ୍ଧାନର ଲକ୍ଷ୍ୟ ମଧ୍ୟ ଏହି ମିସନ୍ର ଅନ୍ତର୍ଭୁକ୍ତ। ଆମେରିକା, ରୁଷ୍ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବ। ଉଲ୍ଲେଖଯୋଗ୍ୟ ଇସ୍ରୋ ମଧ୍ୟ ଚନ୍ଦ୍ରଯାନ-୧ ପାଇଁ ଏହି ସମାନ ଉତ୍କ୍ଷେପଣ ରଣନୀତି ଅବଲମ୍ବନ କରିଥିଲା। ୨୦୦୮ ଅକ୍ଟୋବର ୨୨ ତାରିଖରେ ଚନ୍ଦ୍ରଯାନ-୧ ଉତ୍କ୍ଷେପଣ ହୋଇଥିଲା। ଭାରତର ପ୍ରଥମ ମାନବବିହୀନ ଚନ୍ଦ୍ର ଅଭିଯାନ ପାଇଁ ୫୪୧ କୋଟି ଖର୍ଚ୍ଚ ହୋଇଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ପାଣି ଥିବା ସ୍ପଷ୍ଟ କରିଥିଲା।
୨୦୦୩ରେ ପ୍ରଥମେ ଘୋଷଣା ହୋଇଥିଲା ମୁନ୍ ମିସନ୍
ନୂଆଦିଲ୍ଲୀ : ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ପ୍ରକଳ୍ପ ୨୦୦୩ ମସିହାରେ ଘୋଷଣା ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୩ ମସିହାରେ ଦେଶର ୫୬ ତମ ସ୍ବାଧୀନତା ଦିବସରେ ଭାରତର ମାନବବିହୀନ ମୁନ୍ ମିସନ୍ ସଂକ୍ରାନ୍ତରେ ଘୋଷଣା କରିଥିଲେ। ଭାରତ ୨୦୦୮ରେ ଏହାର ନିଜସ୍ବ ଅନ୍ତରୀକ୍ଷଯାନ ଚନ୍ଦ୍ରଯାନ-୧ର ଉଦ୍କ୍ଷେପଣ କରିବ ବୋଲି ବାଜପେୟୀ ଘୋଷଣା କରିଥିଲେ।
ଚନ୍ଦ୍ରଯାନ-୨ ପାଇଁ ଚ୍ୟାଲେଞ୍ଜ
ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନ-ଚନ୍ଦ୍ରଯାନ-୨ର ମୁଖ୍ୟ ଲକ୍ଷ୍ୟ ହେଉଛି ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ତେବେ ଏହା କେବଳ ଗୋଟିଏ ବିମାନବନ୍ଦରରୁ ଅନ୍ୟ ଏକ ବିମାନବନ୍ଦରରେ ବିମାନ ପହଞ୍ଚାଇବା ଭଳି କାମ କରିବ ନାହିଁ। ବରଂ ଚନ୍ଦ୍ରଯାନ-୨ର ବାଟରେ ଅନେକ ବାଧା ବିଘ୍ନ ରହିଛି। ପୃଥିବୀପୃଷ୍ଠରୁ ଚନ୍ଦ୍ରପୃଷ୍ଠ ଯାଏଁ ପହଞ୍ଚିବାପାଇଁ ଏହି ଚନ୍ଦ୍ରଯାନକୁ ୩,୮୪୪ ଲକ୍ଷ କିମିର ଦୂରତା ଅତିକ୍ରମ କରିବାକୁ ପଡ଼ିବ। ଏଥିପାଇଁ ଅନେକ ଚ୍ୟାଲେଂଜ ରହିଛି। ଚନ୍ଦ୍ରଯାନ-୨ର ଅତିକ୍ରମ ସମୟରେ ଏହା ଅନ୍ୟାନ୍ୟ ମହାଜାଗତିକ ପଦାର୍ଥ ଦ୍ବାରା ବାଧାର ସମ୍ମୁଖୀନ ହୋଇପାରେ। ସୌର ଚାପକୁ ବି ଏକ ଚ୍ୟାଲେଂଜ ଭାବେ ଗ୍ରହଣ କରାଯିବ। ଏହାପରେ ପୁଣି ଏକ ବଡ଼ ଚ୍ୟାଲେଂଜ ହେଉଛି ଡିପ୍ ସ୍ପେସ୍ କମ୍ୟୁନିକେସନ୍ ତଥା ଇସ୍ରୋ ଏବଂ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ବଜାୟ ରଖିବା କାର୍ଯ୍ୟ। ଚନ୍ଦ୍ରପୃଷ୍ଠକୁ ଯାତ୍ରା ସମୟରେ ଚନ୍ଦ୍ରଯାନ-୨କୁ ଏହାର ଗତିପଥ ପୃଥିବୀ ପୃଷ୍ଠରୁ ଚନ୍ଦ୍ରପୃଷ୍ଠକୁ ବଦଳାଇବାକୁ ପଡ଼ିବ। ଏହା ମଧ୍ୟ ଅନ୍ୟ ଏକ ଚ୍ୟାଲେଂଜ। ଅନ୍ୟ ଏକ ବାଧା ହେଉଛି ମୁନ୍ ଡଷ୍ଟ୍। ସେହିପରି ତାପମାତ୍ର ମଧ୍ୟ ଏକ ବଡ଼ ବାଧକ ସାଜିପାରେ।