ନୂଆଦିଲ୍ଲୀ: ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଦିନ ରାତି ଏକାଠି କରି ଖାଦ୍ୟ ପରଷିବାରେ ଲାଗିଛନ୍ତି ଜଣେ ପ୍ରବାସୀ ଭାରତୀୟ | ଏହି ପ୍ରବାସୀ ଭାରତୀୟ ଜଣକ ନିଜ ରେଷ୍ଟୁରାଣ୍ଟକୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଦେଇଥିବାବେଳେ ମାଗଣାରେ ଖାଦ୍ୟ ବାଣ୍ଟୁଛନ୍ତି | ମିଳିଥିବା ସୂଚନା ମୁତାବକ ୟୁକ୍ରେନ ସଙ୍କଟ ମଧ୍ୟରେ ହଙ୍ଗେରୀର ରାଜଧାନୀ ବୁଦ୍ଦାପେଷ୍ଟର ସର୍ବ ପୁରାତନ ଭାରତୀୟ ରେଷ୍ଟୁରାଣ୍ଟ 'ମହାରାଜା' ୟୁକ୍ରେନରୁ ଆସିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଭୋଜନ ଯୋଗାଉଛି। ରେଷ୍ଟୁରାଣ୍ଟ ମାଲିକ କୁଲବିନ୍ଦର ସିଂ ଝାମ କହିଛନ୍ତି ଯେ, 'ଜଣେ ଶିଖ ହୋଇଥିବାରୁ ସେ ମାଗଣାରେ ଖାଦ୍ୟ ପରିବେଷଣ କରିବା ପାଇଁ ଏକ ଲଙ୍ଗର ଖୋଲିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି,ମୋର ଅନୁମାନ ନଥିଲା ଯେ ଏତେ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ଆସିବେ |
ମଙ୍ଗଳବାର ଦିନ ୩୦୦ ଛାତ୍ର ବୁଦ୍ଦାପେଷ୍ଟରେ ପହଞ୍ଚିଥିବାବେଳେ ବୁଧବାର ଅପରାହ୍ନରେ ଆମେ ୮୦୦ ଭୋଜନ ପ୍ରସ୍ତୁତ କରିଥିଲୁ ଏବଂ ରାତିରେ ଆଉ ୧୫୦୦ ଛାତ୍ରଛାତ୍ରୀ ପହଞ୍ଚିଥିଲେ। ୪୦ ବର୍ଷ ଧରି ୟୁରୋପରେ ରହୁଥିବା ଏବଂ ୧୯୯୪ ମସିହାରେ 'ମହାରାଜା' ପ୍ରତିଷ୍ଠା କରିଥିବା ଝାମ କହିଛନ୍ତି ଯେ ଭାରତୀୟ ଦୂତାବାସ ସାଣ୍ଡୱିଚ୍ ଭଳି ଖାଦ୍ୟ ଯୋଗାଉଥିଲା, କିନ୍ତୁ ଛାତ୍ରଛାତ୍ରୀମାନେ ଗରମ ରନ୍ଧା ଖାଦ୍ୟ ଆବଶ୍ୟକ କରୁଥିବାରୁ ଆମେ ଏହା ପରସି ଦେଇଥିଲୁ |
ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଭୋକିଲା ଥିବାରୁ ଯେ ପର୍ଯ୍ୟନ୍ତ ବିମାନ ପାଇନାହାନ୍ତି ସେ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟକୁ ଆସି ମାଗଣାରେ ଖାଇବାକୁ ମୁଁ କହିଥିଲି | ଝାମ କହିଛନ୍ତି ଯେ ତାଙ୍କର ପ୍ରାୟ ୧୨ ଜଣ କର୍ମଚାରୀ ଥିବାବେଳେ ଏତେ ମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରିବା କଷ୍ଟକର ହୋଇଥିଲା | କିନ୍ତୁ ବନ୍ଧୁ ଏବଂ ପଡ଼ୋଶୀମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଆମେ ସମସ୍ତେ ଭୋର ୪ଟାରେ ଉଠି ଭୋଜନ ପ୍ରସ୍ତୁତ କରିବାରେ ଲାଗିପଡୁଛୁ |