ବିଶେଷଜ୍ଞ ଟିମ୍‌ର ନେତୃତ୍ବ ‌ନେଉଛନ୍ତି ଭାରତୀୟ ବୈଜ୍ଞାନିକ, ପ୍ରତିଷେଧକ ଇଂଜେକସନ୍‌ ପାଇଁ ଗବେଷଣା ଜାରି

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରତି‌ଷେଧକ ଇଂଜେକସନ୍‌ ବାହାର କରିବାକୁ ବିଶ୍ବବ୍ୟାପୀ ବୈଜ୍ଞାନିକମା‌ନେ ପ୍ରୟାସ ଜାରି ରଖିଛନ୍ତି। କରୋନା ଭାଇରସ୍‌ର ପ୍ରତିଷେଧକ ବାହାର କରିବାପାଇଁ ଅଷ୍ଟ୍ରେଲିଆରେ ଏକ ବିଶେଷଜ୍ଞ ଟିମ୍‌ କାମ କରୁଥିବା ବେଳେ ଏହି ଟିମ୍‌ର ନେତୃତ୍ବ ନେଇଛନ୍ତି ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଏସ୍ଏସ୍‌ ଭାସନ୍। ଅଷ୍ଟ୍ରେଲିଆର କମନ୍‌ୱେଲ୍‌ଥ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ସିରୋ)ରେ ଏହି ଭାଇରସ୍‌ର ମୁକାବିଲା ପାଇଁ ଇଂକେଜସନ୍‌ ଆରମ୍ଭ କରିବାକୁ କାମ ଚାଲିଛି। ମିଳିଥିବା ସୂଚନାନୁଯାୟୀ ସିରୋର ଏକ ଉଚ୍ଚ ସୁରକ୍ଷା ସମ୍ପନ୍ନ ଲ୍ୟାବ୍‌ରେ କରୋନା ଭାଇରସ୍‌ର ନମୁନାକୁ ବିକାଶ କରାଯାଇଛି। ବିଶେଷଜ୍ଞମାନେ ମନୁଷ୍ୟ ଶରୀରରୁ ନିଆଯାଇଥିବା ନମୁନାରୁ ଭାଇରସ୍‌କୁ ପୃଥକ୍‌ କରିବାରେ ସମର୍ଥ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଟିମ୍‌ ଭାଇରସ୍‌ର ଚରିତ୍ରକୁ ଭଲଭାବେ ଜାଣିବାକୁ ପ୍ରୟାସ କରୁଛନ୍ତି, ଯାହାକି ଭାଇରସ୍‌ ରୋକିବା ଦିଗରେ ପ୍ରତି‌ଷେଧକ ବାହାର କରିବାରେ ପ୍ରମୁଖ ଭୂମିକା ନେଇପାରିବ। ଭାରତୀୟ ବୈଜ୍ଞାନିକ ଏସଏସ୍‌ ଭାସନ ବେଙ୍ଗାଲୁରୁର ଆଇଆଇଏସ୍‌ସି (ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ) , ବିର୍ଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋ‌‌ଲୋଜି ଆଣ୍ଡ୍‌ ସାଇନ୍ସର ଜଣେ ପୂର୍ବତନ ଛାତ୍ର। ମିଳିଥିବା ସୂଚନାନୁଯାୟୀ ସିରୋ ବୈଜ୍ଞାନିକ ଟିମ୍‌ କରୋନା ଭାଇରସ୍‌ ଚିକିତ୍ସା ପାଇଁ ପ୍ରତିଷେଧକ ବାହାର କରିବାକୁ ୧୬ ସପ୍ତାହର ସମୟସୀମା ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର