ସୀମାରେ ଦର୍ଶନ କରିବାକୁ କାହିଁକି ଭାରତୀୟ ଶିଖ୍‌ ଧର୍ମାବଲମ୍ବୀମାନେ ବାଇନାକୁଲାର୍‌ ଲୋଡୁଛନ୍ତି?

ଗୁରୁଦାସପୁର: ପଞ୍ଜାବର ଗୁରୁଦାସପୁରଠାରେ ଥିବା ଭାରତ-ପାକିସ୍ତାନ୍ ଅନ୍ତର୍ଜାତୀୟ ସୀମାରେ ବଢ଼ିବାରେ ଲାଗିଛି ଶିଖ୍‌ ଧର୍ମାବଲମ୍ବୀଙ୍କ ଭିଡ଼। ରବି ନଦୀ ଆର ପାରିରେ ଥିବା ପାକିସ୍ତାନର ନରଓ୍ଵାଲ୍‌ ଜିଲ୍ଲା ଅନ୍ତର୍ଗତ  ପବିତ୍ର ଶିଖ୍‌  ଗୁରୁଦ୍ୱାର କରତରପୁର ସାହିବ ଦର୍ଶନ ନିମସ୍ତେ ଶିଖ୍‌ ପର୍ଯ୍ୟଟକମାନଙ୍କର ଭିଡ଼ ଗତ କିଛି ଦିନ ଭିତରେ ବେଶ୍‌ ବଢ଼ିଯାଇଛି।

ଆପଣଙ୍କର ମନେ ଥିବ ନିଶ୍ଚୟ ପଞ୍ଜାବର ମନ୍ତ୍ରୀ ନବଜୋତ୍‌ ସିଂ ସିନ୍ଧୁ ଗତ ମାସରେ ଘୋଷଣା କରିଥିଲେ ଯେ ପାକିସ୍ତାନ ସେନା ମୁଖ୍ୟ ଜୈନ୍‌ କ୍ୱାମାର୍‌ ଜାଭେଦ ବଜ୍‌ଓ୍ଵା କହିଛନ୍ତି କି ଗୁରୁ ନାନକଙ୍କ ୫୫୦ତମ ଜନ୍ମଉତ୍ସବ ପାଳନ ଅବସରରେ ପଞ୍ଜାବରେ ଥିବା ଡେରା ବାବା ନାନକ ମନ୍ଦିରରୁ ପାକିସ୍ତାନରେ ରହିଥିବା ଗୁରୁଦ୍ୱାର କରତରରପୁର ସାହିବ ମନ୍ଦିର ପର୍ଯ୍ୟନ୍ତ ଏକ ମାର୍ଗ ଖୋଲାଯିବ। ଫଳରେ ଭାରତୀୟ ଶିଖ୍‌ ଧର୍ମାବଲମ୍ବୀ ବିନା ଅସୁବିଧାରେ କରତରରପୁର ସାହିବ ମନ୍ଦିରକୁ ଆସି ଦର୍ଶନ କରିପାରିବେ। ନବଜୋତ୍‌ ସିଂଙ୍କ ଏହି ଘୋଷଣା ପରେ କରତରରପୁର ସାହିବ ପ୍ରତି ଲୋକଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି।

ଖାଲି ସେତିକି ନୁହେଁ, ଏପରିକି ଗତ ବର୍ଷ ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ ଅହମ୍ମଦ ଚୌଧୁରୀ କହିଥିଲେ କି ଭାରତୀୟ ଶିଖ୍‌ ଧର୍ମୀମାନଙ୍କ ଉଦେଶ୍ୟରେ କରତରପୁର ସାହିବକୁ ଯିବା ପାଇଁ ଇମ୍ରାନ ଖାନଙ୍କ ସରକାର ଭିସା-ଫ୍ରି କରିବା ଯୋଜନା କରିଛନ୍ତି ବୋଲି ମଧ୍ୟ ଘୋଷଣା କରିଥିଲେ।

ମାତ୍ର ଏବେ ପାଇଁ ଭାରତୀୟ ଶିଖ୍‌ ଧର୍ମାବଲମ୍ବୀମାନେ କେବଳ ଦୂରରୁ ଏହାର ଏକ ଝଲକ ଦେଖିପାରୁଛନ୍ତି। ତାହା ସଂପୂର୍ଣ୍ଣ ଶ୍ରେୟ ଯାଉଛି ବିଏସ୍‌ଏଫ୍‌ ଯବାନମାନଙ୍କୁ। ପାକିସ୍ତାନରେ ଥିବା ପବିତ୍ର ଶିଖ୍‌ ମନ୍ଦିର ଗୁରୁଦ୍ୱାର କରତରପୁର  ଚାରିପାଖରେ ବଡ଼ ବଡ଼ ଘାସ ସବୁ ଉଠିଯାଇଛି। ଯବାନମାନେ ସୀମାରେ ଏକ ବାଇନାକୁଲାର୍‌ ଲଗାଇଛନ୍ତି। ଫଳରେ ଭାରତୀୟ ଭକ୍ତମାନେ ବାଇନାକୁଲାରରେ ଧଳା ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିବା ସହ ହାତ ଯୋଡ଼ି ନମସ୍କାର କରି ଫେରୁଛନ୍ତି।

ଶିଖ୍‌  ଇତିହାସ କହେ, ନାନକ ନିଜର ପ୍ରସିଦ୍ଧ ଚାରିଧାମ ଯାତ୍ରା ପୂରା କରିବା ପରେ ୧୫୨୨ରେ ଏହିଠାରେ ଆସି ପହଞ୍ଚିଥିଲେ। ଏଠାରେ ସେ ଦୀର୍ଘ ୧୭ ବର୍ଷ ଧରି ସାଧାରଣ ଜୀବନଯାପନ କରିବା ପରେ ଶେଷରେ ଏଠାରେ ଗୁରୁଦ୍ୱାର ନିର୍ମାଣ କରାଯାଇଥିଲା।

ଅନେକ ବର୍ଷ ହେବ ଭାରତୀୟ ଶିଖ୍‌ ଧର୍ମାବଲମ୍ବୀମାନଙ୍କୁ କରତରପୁର ସାହିବ ଦର୍ଶନ ପାଇଁ ଭିସା ଓ ପାସ୍‌ପୋର୍ଟ ଫ୍ରି କରାଯିବ ବୋଲି ପ୍ରସ୍ତାବ ଉଠିଥିଲେ ବି ତାହା ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିନାହିଁ। ୧୯୯୯ ମସିହାରେ ପାକିସ୍ତାନ ରାଷ୍ଟ୍ରପତି ପର୍‌ଭେଜ୍‌ ମୁସାରଫ୍‌ ଭାରତୀୟ ଶିଖମାନଙ୍କୁ କରତରପୁର ସାହିବ ଦର୍ଶନ ପାଇଁ ଅନୁମତି ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। ୧୦ ବର୍ଷ ପରେ ୨୦୧୦ ମସିହା ଅକ୍ଟୋବର ପହିଲାରେ  ପାକିସ୍ତାନ ସରକାରଙ୍କୁ ଏ ସଂପର୍କରେ ପଚାରିବା ପାଇଁ ପଞ୍ଜାବ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା।

 

ସମ୍ବନ୍ଧିତ ଖବର