ପାକିସ୍ତାନୀ ଗୁଳିରେ ଆହତ ହୋଇଥିବା ଭାରତୀୟ ଯବାନଙ୍କ ମୃତ୍ୟୁ, ଗୋଟିଏ ମାସରେ ସହିଦ ହେଲେଣି ୩ ଯବାନ

ଜମ୍ମୁ : ଗତ ସପ୍ତାହରେ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ କରୁଥିବାବେଳେ ପାକିସ୍ତାନ ଗୁଳିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଛି । ଜମ୍ମୁ ଓ କଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ଥିବା ମିଲିଟାରୀ କମାଣ୍ଡ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସହିଦ ଯବାନଙ୍କ ନାଁ ହେଉଛି ନାଏକ ନିଶାନ୍ତ ଶର୍ମା । ସେ ୧୦-ଜମ୍ମୁ କଶ୍ମୀର ରାଇଫଲ୍ସର ଯବାନ ବୋଲି ଜଣାପଡ଼ିଛି । ସେ ଜାନୁଆରି ୧୮ରେ ଏଲଓସିର ସୁନ୍ଦରବନୀ ସେକ୍ଟରରେ ପାଟ୍ରୋଲିଂ କରୁଥିବାବେଳେ ପାକ ଗୁଳିରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ କମାଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ମିଶାଇ ଚଳିତ ମାସରେ ପାକିସ୍ତାନୀ ଗୁଳିରେ ୩ ଜଣ ଯବାନ ସହିଦ ହୋଇସାରିଲେଣି । ଜାନୁଆରି ୧ ଓ ଜାନୁଆରି ୨୧ରେ ଜଣେ ଲେଖାଏଁ ଯବାନ ପାକିସ୍ତାନୀ ଗୁଳିର ଶିକାର ହୋଇଥିଲେ ।

ନିୟନ୍ତ୍ରଣ ରେଖା ନିକଟରେ  ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିରତି ଉଲ୍ଲଙ୍ଘନ ଘଟଣା ଜାରି ରହିଛି । ପାକିସ୍ତାନର ସ୍ନାଇପରମାନେ ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି । ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ଦୃଢ ଜବାବ ଦିଆଯାଉଛି ।

ସମ୍ବନ୍ଧିତ ଖବର