ଚାକିରି ଛାଡୁଛନ୍ତି ଭାରତୀୟ ଯବାନ !

ନୂଆଦିଲ୍ଲୀ : କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ଚାକିରି ଛାଡିବାରେ ଲାଗିଛନ୍ତି। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ରାଜ୍ୟସଭାରେ ଦିଆଯାଇଥିବା ଗୃହ ମନ୍ତ୍ରାଳୟର ତାଜା ତଥ୍ୟ ଏହା ହିଁ କହୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।

ରାଜ୍ୟସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଗୃହ ମନ୍ତ୍ରାଳୟ ଏହି ସୂଚନା ଦେଇଛି। ପ୍ରଶ୍ନ ଥିଲା ଯେ, ୨୦୧୫ ମସିହା ତୁଳନାରେ ୨୦୧୭ ମସିହାରେ ଚାକିରୀ ଛାଡୁଥିବା ଅର୍ଦ୍ଧସାମରିକ ବଳର ଅଧିକାରୀ ଏବଂ ଯବାନ ମାନଙ୍କର ସଂଖ୍ୟାରେ କଣ ପାଖାପାଖି ୫୦୦% ବୃଦ୍ଧି ହୋଇଥିବା ଦେଖାଯାଇଛି । ଏହାର ଉତ୍ତରରେ ଗୃହ ମନ୍ତ୍ରାଳୟ ଲିଖିତ ସୂଚନା ଦେଇ କହିଛି ଯେ, ୨୦୧୭ ମସିହାରେ ନିଜ ଚାକିରୀ ଛାଡୁଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଏବଂ ଆସାମ ରାଇଫଲ୍‌ସର ଅଧିକାରୀ ଏବଂ ଯବାନ ମାନଙ୍କ ସଂଖ୍ୟା ୨୦୧୫ ମସିହାରେ ୩,୪୨୫ ତୁଳନାରେ ୧୪,୫୮୭ ରହିଛି।

କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ମାନଙ୍କର ଏତେ ବଡ ସଂଖ୍ୟାରେ ଚାକିରୀ ଛାଡିବା ଦ୍ୱାରା ସରକାରଙ୍କ ଚିନ୍ତା ବଢି ବଢି ଯାଉଛି। ଏହାକୁ ଧ୍ୟାନରେ ରଖି ସରକାର ବିପରୀତ ପରିସ୍ଥିତିରେ କାମ କରିବା ଦ୍ୱାରା ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ କମ୍‌ କରିବା ପାଇଁ ସମୁଚିତ ଆରାମ ଏବଂ ଛୁଟିର ରାସ୍ତାରେ ଯିବା ଆରମ୍ଭ କରିଛି। ଏହା ସହ ଯବାନ ମାନଙ୍କୁ ନିଜ ପରିବାର ବର୍ଗ ଏବଂ ବନ୍ଧୁ ମାନଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଧୁନିକ ସଂଚାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।

ସୁରକ୍ଷାକର୍ମୀଙ୍କ ମଧ୍ୟରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିୟମିତ ଭାବେ ଷ୍ଟ୍ରେସ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ ଏବଂ ଯୋଗ କ୍ଲାସ ମଧ୍ୟ ଆରମ୍ଭ କରାଯାଇଛି। ଏହା ସହ ଖେଳକୁଦ ଏବଂ ମନୋରଞ୍ଜନର ସୁବିଧା ପ୍ରଦାନ ନିମନ୍ତେ ମଧ୍ୟ ଯୋଜନା କରାଯାଉଛି। ଡ୍ୟୁଟି ବିତରଣରେ ମଧ୍ୟ ପାରଦର୍ଶିତା ଦେଖାଇବାର ଚେଷ୍ଟା କରାଯାଉଛି। ଏହା ଛଡା ସୀମାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବା ପାଇଁ ପ୍ରୟାସ କରାଯାଉଛି।

ସମ୍ବନ୍ଧିତ ଖବର