ନୂଆଦିଲ୍ଲୀ : ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହା ସହିତ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ତେବେ ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ରୁଷିଆ ସୈନ୍ୟଙ୍କ ବୋମା ମାଡ଼ରେ କର୍ଣ୍ଣାଟକର ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ମୃତ ଛାତ୍ରର ନାଁ ନବୀନ ବୋଲି ଜଣାପଡ଼ିଛି ।
ଏକ ଟୁଇଟ କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଜଣାଇଛନ୍ତି ଯେ, ଖାରକ୍ରିଭ ସହରରେ ଜଣେ ଭାରତୀୟ ଛାତ୍ର ବୋମା ମାଡ଼ରେ ମୃତ୍ୟୁବରଣ କରିଛନ୍ତି । ମନ୍ତ୍ରାଳୟ ତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ।
ୟୁକ୍ରେନର ଖାରକ୍ରିଭ୍ ସହର ଓ ଅନ୍ୟ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ନିରାପଦ ଉଦ୍ଧାର ପାଇଁ ଭାରତ ସରକାର ଉଭୟ ରୁଷିଆ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେହିପରି ୟୁକ୍ରେନ ଓ ରୁଷିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନେ ବି ଭାରତୀୟ ଛାତ୍ରଛାତ୍ରୀଙ୍କ ନିରାପଦ ଉଦ୍ଧାର ପାଇଁ ଉଦ୍ୟମରତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡ ଓ ରୁମାନିଆ ଦେଇ ଭାରତ ସରକାର ଉଦ୍ଧାର କରୁଛନ୍ତି । ଏଥିପାଇଁ ଭାରତ ସରକାର ୪ ଜଣ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ପୁରୀ, କିରେନ ରିଜିଜୁ ଓ ଜେନେରାଲ ଭିକେ ସିଂଙ୍କୁ ୟୁକ୍ରେନର କେତେକ ପଡ଼ୋଶୀ ଦେଶ ହଙ୍ଗେରୀ, ସ୍କୋଭାକିଆ, ମାଲଡୋଭା, ରୋମାନିଆ ଓ ପୋଲାଣ୍ଡକୁ ପଠାଇଛନ୍ତି ।