ନୂଆଦିଲ୍ଲୀ: କାନାଡାର ଓଟାୱାରେ ଗତ ତିନି ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀଙ୍କର ଏବେ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ଦିନ କାନାଡାର ଭାରତୀୟ ଦୂତାବାସ ଏନେଇ ନିଶ୍ଚିତ କରିଛି। ଛାତ୍ରୀ ଜଣକ ହେଉଛନ୍ତି ବଂଶିକା। ସେ ଗତ ଏପ୍ରିଲ୍‌ ୨୫ ତାରିଖରେ ନିଖୋଜ ହେବା ପରଠାରୁ ଏକ ବ୍ୟାପକ ସନ୍ଧାନ ଅଭିଯାନ ଜାରି ରହିଥିଲା। ମଙ୍ଗଳବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି। 

Advertisment

"ଓଟାୱାରେ ପଢୁଥିବା ଭାରତୀୟ ଛାତ୍ରୀ ସୁଶ୍ରୀ ବଂଶିକାଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇ ଆମେ ଗଭୀର ଦୁଃଖିତ। ଏହି ମାମଲାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ଏବଂ ସ୍ଥାନୀୟ ପୁଲିସ ଅନୁଯାୟୀ ଏହାର କାରଣ ତଦନ୍ତ କରାଯାଉଛି," ବୋଲି ଦୂତାବାସ ଘୋଷଣା କରିଛି।

ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଉଲ୍ଲେଖ କରାଯାଇଥିଲା ‌ଯେ ‘‘ବଂଶିକା ୨୫ ଏପ୍ରିଲ ଶୁକ୍ରବାର ରାତି ପ୍ରାୟ ୮-୯ ଟାରେ ଭଡା ଘର ଦେଖିବା ପାଇଁ ତାଙ୍କ ଘରୁ ବାହାରିଥିଲେ ଏବଂ ସେବେଠାରୁ ଘରକୁ ଫେରିନାହାଁନ୍ତି। ତାଙ୍କ ଫୋନ୍ ବନ୍ଦ ହୋଇଯାଇଛି ଏବଂ ସେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେଇପାରିନାହାନ୍ତି। ଯାହାକି ତାଙ୍କ ପାଇଁ ବହୁତ ଅସାଧାରଣ,"।

ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ବ୍ୟାପକ ପ୍ରୟାସ ସତ୍ତ୍ୱେ ତାଙ୍କ ବିଷୟରେ କୌଣସି ସନ୍ଧାନ ମିଳିପାରିନଥିଲା। ଆଜି ତାଙ୍କର ପରଲୋକ ଘଟିଥିବା ସ୍ପଷ୍ଟ ‌ହୋଇଛି। ତେବେ କିପରି ଓ କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ।