ନୂଆଦିଲ୍ଲୀ: ଆମେରିକାର ଜର୍ଜିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଭାରତୀୟ ଛାତ୍ର ଜଣକ ଜଣେ ବାସହୀନ ବ୍ୟକ୍ତିଙ୍କ ପ୍ରତି ଦୟା ପ୍ରଦର୍ଶନ କରିଥିଲେ ଏବଂ ତାଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଥିଲେ । ତେବେ ଯେଉଁଦିନ ଭାରତୀୟ ଛାତ୍ର ସାହାଯ୍ୟ କରିବା ବନ୍ଦ କରିଦେଲେ, ସେହି ଦିନ ବ୍ୟକ୍ତି ଜଣକ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।

Advertisment

ଜର୍ଜିଆର ଲିଥୁଆନିଆରେ ଏମବିଏ ଛାତ୍ର ବିବେକ ସାଇନି ବାସହୀନ ଏବଂ ନିଶାସେବୀ ଜୁଲିଆନ ଫଲକରଙ୍କୁ ଆଶ୍ରୟ ଦେଉଥିବା ଏକ ଷ୍ଟୋରରେ ପାର୍ଟ ଟାଇମ କିରାଣୀ ଭାବରେ କାମ କରୁଥିଲେ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ସାଇନି ଉକ୍ତ ବ୍ୟକ୍ତିଙ୍କୁ ଚିପ୍ସ, ପାଣି ଏବଂ ଏପରିକି ଜ୍ୟାକେଟ୍ ଦେଇ ସାହାଯ୍ୟ କରିଥିଲେ।

ତେବେ ଜାନୁଆରୀ ୧୬ତାରିଖରେ ୨୫ ବର୍ଷୀୟ ବିବେକ ସାଇନି ଫକନରଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଦେବାକୁ ମନା କରିଦେଇଥିଲେ। ଏହି ମନା ଯୋଗୁଁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଘରକୁ ଯାଉଥିବା ବେଳେ ସାଇନିଙ୍କୁ ଆକ୍ରମଣ କରାଯାଇଥିଲା। ଘଟଣାର ସିସିଟିଭି ଫୁଟେଜରେ ଅଭିଯୁକ୍ତ ସାଇନିଙ୍କୁ ବାରମ୍ବାର ହାତୁଡ଼ିରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତ ସାଇନିଙ୍କ ମୁଣ୍ଡ ଓ ମୁହଁରେ ପାଖାପାଖି ୫୦ ଥର ହାତୁଡ଼ିରେ ନିର୍ମମ ଭାବେ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ପୁଲିସ ପହଞ୍ଚିବା ବେଳକୁ ଫକନର ଘଟଣାସ୍ଥଳରେ ଥିଲା।