‘ବୋମା ଶବ୍ଦ ଶୁଣି ଭୟରେ କାନ୍ଦୁଛି ମୋ କୁକୁର, ତା’ବିନା ମୁଁ ୟୁକ୍ରେନ ଛାଡ଼ି ପାରିବି ନାହିଁ’: ବଙ୍କରରେ ଫସିଥିବା ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନରୁ ମଣିଷ ଓ ପଶୁ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ଏକ ଘଟଣା ସାମ୍ନାକୁ ଆସିଛି। ୟୁକ୍ରେନ ଉପରେ କ୍ରମାଗତ ଋଷିଆ ଆକ୍ରମଣ କରି ଚାଲିଛି। ଏଭଳି ସମୟରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି। ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି। ଏଭଳି ପରିସ୍ଥିତିରେ ବଙ୍କର ମଧ୍ୟରେ ଫସି ରହିଥିବା ଜଣେ ଭାରତୀୟ ଛାତ୍ର ନିଜର ଦୁଃଖ ବଖାଣିଛନ୍ତି।

ପୂର୍ବ ୟୁକ୍ରେନର ଖାର୍କିଭ ନ୍ୟାସନାଲ ୟୁନିଭରସିଟି ଅଫ୍ ରେଡିଓ ଇଲେକ୍ଟ୍ରୋନିକ୍ସରେ ଅଧ୍ୟୟନ କରୁଥିବା ରିଷଭ କୌଶିକ ଦାବି କରିଛନ୍ତି, ଯେ ସେ ସମସ୍ତ କାଗଜପତ୍ର ଯାଞ୍ଚ ଏବଂ ଅନୁମୋଦନ ପାଇବାକୁ ଚେଷ୍ଟା କରୁଛନ୍ତି । ଏହା ସେ ଏଥିପାଇଁ କରୁଛନ୍ତି କାରଣ ତାଙ୍କ କୁକୁରକୁ ସେ ସାଥୀରେ ଭାରତ ନେବାକୁ ଚାହୁଁଛନ୍ତି। କିନ୍ତୁ ଏଯାବତ ସେ ସେଠାରେ ଫସି ରହିଛନ୍ତି । କାରଣ ଅଧିକାରୀମାନେ ତାଙ୍କୁ ଅଧିକରୁ ଅଧିକ ଡକ୍ୟୁମେଣ୍ଟ ମାଗୁଛନ୍ତି।

ରିଷଭ କୌଶିକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ‌ସେ କହିଛନ୍ତି ଯେ ସେ ଦିଲ୍ଲୀସ୍ଥିତ ଭାରତ ସରକାରଙ୍କ ପଶୁ କ୍ୱାରେଣ୍ଟିନ ଓ ପ୍ରମାଣପତ୍ର ସେବା (ଏକ୍ବୁସିଏସ) ଏବଂ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଏହାର କୌଣସି ସୁଫଳ ମିଳି ନଥିଲା।

ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ରିଷଭ କହିଛନ୍ତି ଯେ ତାଙ୍କ ଅବସ୍ଥା ବିଷୟରେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦର ଅଧିକାରୀଙ୍କୁ ଜଣାଇଥିଲେ, କିନ୍ତୁ ସେମାନେ ସହଯୋଗ କରିବା ବଦଳରେ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ। ଫେବ୍ରୁଆରି ୨୭ ତାରିଖରେ ତାଙ୍କ ବିମାନ ଥିବାରୁ ସେ ସେଠାରେ ବଙ୍କର ମଧ୍ୟରେ ଫସି ରହିଛନ୍ତି। ଆଉ କ୍ରମାଗତ ବୋମାଶବ୍ଦ ଶୁଣି ତାଙ୍କର କୁକୁର କାନ୍ଦୁଥିବା ରିଷଭ କହିଛନ୍ତି।

ସମ୍ବନ୍ଧିତ ଖବର