ନୂଆଦିଲ୍ଲୀ: କାନାଡାର ସାରନିଆରେ ଜଣେ ୨୨ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଛୁରୀରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ରୋଷେଇ ଘରେ ଥିବାବେଳେ ତାଙ୍କ ଫ୍ଲାଟମେଟଙ୍କ ସହ ପାଟିତୁଣ୍ଡ ହୋଇଥିଲା। ତାଙ୍କ ଫ୍ଲାଟ୍‌ମେଟ୍‌ ତାଙ୍କର ହତ୍ୟା କରିଥିବା ସନ୍ଦେହ କରାଯାଉଛି। 

Advertisment

ଲମ୍ବଟନ୍‌ କଲେଜରେ ବ୍ୟବସାୟ ବିଷୟରେ ପାଠ ପଢୁଥିବା ଏହି ଛାତ୍ର ଜଣକ ପଞ୍ଜାବର ଗୁରାସିସ୍ ସିଂ ବୋଲି ଜଣାପଡିଛି। ତେବେ ଏହି ହତ୍ୟାକାଣ୍ଡରେ ୩୬ ବର୍ଷୀୟ ଅଭିଯୁକ୍ତ କ୍ରସେଲି ହଣ୍ଟର୍‌କୁ ଦ୍ବିତୀୟ ଡିଗ୍ରି ହତ୍ୟା ମାମଲାରେ ରିମାଣ୍ଡରେ ନିଆଯାଇଛି।

ସାରନିଆ ପୁଲିସର ସୂଚନାନୁସାରେ, ଚଳିତମାସ ପହିଲା ଦିନ ସକାଳେ କୁଇନ୍‌ ଷ୍ଟ୍ରିଟ୍‌ରେ ଥିବା ଏକ ସେୟାର୍‌ ରୁମ୍‌ରେ ଏହି ଘଟଣା ଘଟିଛି। ୯୧୧ କଲ୍‌ର ଉତ୍ତର ଦେଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶରୀରରେ ଏକାଧିକ କ୍ଷତ ସ୍ଥାନ ଦେଖିବା ପରେ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇଛି।

ଆଜି ତାଙ୍କର ପରବର୍ତ୍ତୀ ଶୁଣାଣି ଥିଲା। ପୁଲିସର ସୂଚନାନୁସାରେ, ରୋଷେଇ ଘରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯେଉଁଥିରେ ଫ୍ଲାଟମେଟ ଛୁରୀ ବ୍ୟବହାର କରି ଭାରତୀୟ ଛାତ୍ରଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି।

ସାରନିଆ ପୁଲିସ୍ କ୍ରାଇମବ୍ରାଞ୍ଚ ଡିଭିଜନ୍ ଏହି ଅପରାଧିକ କାର୍ଯ୍ୟର ପରିସ୍ଥିତି ଜାଣିବା ପାଇଁ ସମସ୍ତ ଉପଲବ୍ଧ ତଥ୍ୟ ସଂଗ୍ରହ ଜାରି ରଖିଛି। ଏହି ଅପରାଧ  ଏକ ଜାତିଭିତ୍ତିକ ଉଦ୍ଦେଶ୍ୟ ନହୋଇପାରେ ବୋଲି ପୁଲିସ୍‌ ଅନୁମାନ କରୁଛି। ସାରନିଆର ଲମ୍ବଟନ୍ କଲେଜ ମଧ୍ୟ ଛାତ୍ରଙ୍କ ହାନି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।