ଲଣ୍ଡନ୍: ଗତ ମାସରେ ଇଂଲଣ୍ଡ୍ରେ ନିଖୋଜ ହୋଇଯାଇଥିବା ଜଣେ ୨୩ ବର୍ଷିୟ ଭାରତୀୟ ଛାତ୍ରଙ୍କ ଶବ ଟେମ୍ସ୍ ନଦୀରୁ ଉଦ୍ଧାର କରାଯାଇଥିବା ମେଟ୍ରୋପଲିଟାନ୍ ପୁଲିସ କହିଛି।
ଉଚ୍ଚତର ଶିକ୍ଷା ନିମନ୍ତେ ଗତ ସେପ୍ଟେମ୍ବର ମାସରେ ଲଣ୍ଡନରେ ପହଞ୍ଚିଥିବା ମିତକୁମାର ପଟେଲ୍ ନାମରେ ସେ ଛାତ୍ରଜଣକ ନଭେମ୍ବର ୧୭ ତାରିଖରେ ନିଖୋଜ ହୋଇ ଯାଇଥିବା ରିପୋର୍ଟ ହୋଇଥିଲା।
ନଭେମ୍ବର ୨୧ ତାରିଖ ଦିନ ପୂର୍ବ ଲଣ୍ଡନ୍ ଅନ୍ତର୍ଗତ କେନେରି ୱାର୍ଫ ଅଞ୍ଚଳ ନିକଟରେ ପ୍ରବାହିତ ଟେମ୍ସ୍ ନଦୀରୁ ମେଟ୍ରୋପଲିଟାନ୍ ପୁଲିସ ତାଙ୍କ ଶବ ଉଦ୍ଧାର କରିବା ପରେ ସେ ମୃତ ବୋଲି ‘ପାରାମେଡିକ୍’ମାନେ ଘୋଷଣା କରିଥିଲେ।
ତାଙ୍କର ମୃତ୍ୟୁ ସନ୍ଦେହଜନକ ମନେ ହେଉ ନ ଥିବା କଥା ମେଟ୍ରୋପଲିଟାନ୍ ପୁଲିସ କହିଛି।
‘ଇଭିନିଙ୍ଗ୍ ଷ୍ଟାଣ୍ଡର୍ଡ’ ସମ୍ବାଦପତ୍ର ରିପୋର୍ଟ କରିଛି, ‘ଶିଫିଲ୍ଡ୍ ହଲାମ୍ ୟୁନିଭର୍ସିଟି’ରେ ଡିଗ୍ରି ଶିକ୍ଷା ଓ ‘ଆମାଜନ୍’ରେ ସାମୟିକ କାର୍ଯ୍ୟ କରିବା ଲାଗି ମିତକୁମାର ନଭେମ୍ବର ୨୦ ତାରିଖ ଦିନ ସିଫିଲ୍ଡ୍ ଯାଇ ଥାଆନ୍ତେ। କିନ୍ତୁ, ସବୁଦିନ ଭଳି ସେଦିନ ଚାଲିବାକୁ ଯାଇଥିବା ମିତକୁମାର ଲଣ୍ଡନ୍ସ୍ଥିତ ବାସଭବନକୁ ନ ଫେରିବାରୁ ତାଙ୍କର ଆତ୍ମୀୟମାନେ ଚିନ୍ତିତ ହୋଇ ସେ ନିଖୋଜ ହୋଇଯାଇଥିବା କଥା ଥାନାରେ ରିପୋର୍ଟ କରିଥିଲେ। ପରେ ସେମାନେ ଦେଖିଲେ ଯେ, ନିଜ ପାଖରେ ରଖୁଥିବା ଘରର ଚାବି ମଧ୍ୟ ସେ ଘରେ ଛାଡ଼ିଯାଇଛନ୍ତି।
ମିତକୁମାରଙ୍କ ଶବ ଭାରତକୁ ପଠାଇବା ଲାଗି ଲଣ୍ଡନ୍ସ୍ଥିତ ତାଙ୍କ ଆତ୍ମୀୟମାନେ ‘ଗୋ ଫଣ୍ଡ୍ ମି’ ଅନ୍ଲାଇନ୍ ଫଣ୍ଡ୍ରେଜର୍ ଜରିଆରେ ଚାନ୍ଦା କରି ଅର୍ଥ ସଂଗ୍ରହ କରୁଛନ୍ତି। ନିବେଦନରେ ଲେଖାଯାଇଛି: ସେ କୃଷକ ପରିବାରର ସନ୍ତାନ ଓ ଗାଁରେ ବାସ କରୁଥିଲେ। ନିଖୋଜ ହେବା ପରେ ପୁଲିସ ପାଣିରୁ ତା’ର ଶବ ଉଦ୍ଧାର କରିଛି। ଆମ ପାଇଁ ଏଇଟା ବଡ଼ ଦୁଃଖର କଥା। ତେଣୁ, ତା’ର ଶବ ଭାରତରେ ଥିବା ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଇବା ପାଇଁ ସାହାଯ୍ୟାର୍ଥେ ଆମେ ଚାନ୍ଦା ଆଦାୟ କରୁଛୁ।