ନୂଆଦିଲ୍ଲୀ: ସୁରକ୍ଷିତ ଭାବେ ୟୁକ୍ରେନର ସୁମିରୁ ବାହାରି ଲ୍ବିବରେ ପହଞ୍ଚିଲେ ଭାରତୀୟ ଛାତ୍ରଛାତ୍ରୀ। ଏନେଇ ଟ୍ବିଟ କରି ଜଣାଇଛି କିବରେ ଥିବା ଭାରତୀୟ ଦୂତାବାସ। ସୁମିରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଏବେ ଲ୍ବିବରେ ପହଞ୍ଚିଥିବା ବେଳେ ଏବେ ଟ୍ରେନ୍ ମାଧ୍ୟମରେ ପୋଲାଣ୍ଡ ଯିବେ। ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କୁ ପୋଲାଣ୍ଡରୁ ଭାରତ ଅଣାଯିବ ବୋଲି କହିଛି ଭାରତୀୟ ଦୂତାବାସ।
ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ସୂଚନା ଦେଇ ଖୁସି ଯେ ଆମେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁମିରୁ ବାହାର କରିବାରେ ସକ୍ଷମ ହୋଇଛୁ। ସେମାନେ ବର୍ତ୍ତମାନ ପୋଲଟଭା ଅଭିମୁଖେ ଯାଉଛନ୍ତି, ଯେଉଁଠାରୁ ସେମାନେ ପଶ୍ଚିମ ୟୁକ୍ରେନକୁ ଯିବା ପାଇଁ ଟ୍ରେନରେ ଚଢ଼ିବେ। ସେମାନଙ୍କୁ ଘରକୁ ଆଣିବା ପାଇଁ ଅପରେସନ୍ ଗଙ୍ଗାରେ ସାମିଲ ଥିବା ବିମାନଗୁଡ଼ିକ ପ୍ରସ୍ତୁତ କରାଯାଉଛି।
🇮🇳n students from Sumy on board the special train organised with assistance of 🇺🇦n authorities. Mission will continue to facilitate their movement westwards.
Bringing back our students safely and securely will remain our priority.Be Safe Be Strong pic.twitter.com/lGNnHsfRs7
— India in Ukraine (@IndiainUkraine) March 9, 2022
ତେବେ ପ୍ରାୟ ୭୦୦ ଭାରତୀୟ ଛାତ୍ରଛାତ୍ରୀ ସୁମିରେ ଫସି ରହିଥିଲେ। ମାନବୀୟ କରିଡର ନିର୍ମାଣ ହୋଇପାରୁନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରୁନଥିଲା। ହେଲେ ଏବେ ନିରାପଦ କରିଡର ନିର୍ମାଣ ସହ ସେମାନଙ୍କୁ ସ୍ଥାନାନ୍ତର କରାଯାଉଥିବା ନେଇ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ରୁଷ ଗତକାଲି ଅସ୍ତ୍ରବିରତି ଘୋଷଣା କରି ମାନବୀୟ କରିଡର ସୃଷ୍ଟି କରିବାକୁ ରାଜି ହୋଇଥିଲା। ଏହି ମାନବୀୟ କରିଡର ୟୁକ୍ରେନର ସୁମି ଠାରୁ ୟୁକ୍ରେନର ପୋଲଟଭା ଏବଂ ରୁଷର ବେଲଗୋରୋଡ ପର୍ଯ୍ୟନ୍ତ ରୁଟ ତିଆରି କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସୁମିରେ ଫସି ରହିଥିବା ଭାରତୀୟଙ୍କୁ ପୋଲଟଭା ଏବଂ ବେଲଗୋରୋଡକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଥିଲା। ଗତକାଲିଠାରୁ ଏହି ଅଭିଯାନ ଚାଲିଥିବା ବେଳେ ଆଜି ଭାରତୀୟ ଛାତ୍ରଛାତ୍ରୀଙ୍କ ଶେଷ ବ୍ୟାଚ ଲ୍ବିବରେ ପହଞ୍ଚି ପୋଲାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।