ୟୁକ୍ରେନ, ଚୀନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ ଏମବିବିଏସ୍ ଡିଗ୍ରୀ ପାଇଁ ମିଳିବ ସୁଯୋଗ, ବର୍ଷକ ଭିତରେ ପାସ କରିବାକୁ ହେବ ପରୀକ୍ଷା

ନୂଆଦିଲ୍ଲୀ : ୟୁକ୍ରେନ ଓ ଚୀନରୁ ଫେରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିଭରା ଖବର । କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି ଯେ ଏସବୁ ଛାତ୍ରଛାତ୍ରୀଙ୍କୁ ଏମବିବିଏସ୍ ଫାଇନାଲ୍ ପରୀକ୍ଷା (ଭାଗ ୧ ଏବଂ ଭାଗ ୨ ଥିଓରି ଓ ପ୍ରାକ୍ଟିକାଲ )ରେ ଉତ୍ତୀର୍ଣ୍ଣ ହେବାର ସୁଯୋଗ ଦିଆଯିବ। ତେବେ ସେମାନେ ଏଠାରେ କୌଣସି ମେଡିକାଲ କଲେଜରେ ନାମ ଲେଖାଇବେ ନାହିଁ । କିନ୍ତୁ ସେମାନଙ୍କୁ ବର୍ଷକ ମଧ୍ୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।

ଥିଓରି ପରୀକ୍ଷା  ଭାରତୀୟ ଏମବିବିଏସ ପ୍ୟାଟର୍ନରେ ହେବ ଓ ପ୍ରାକ୍ଟିକାଲ ପରୀକ୍ଷା ନିର୍ଦ୍ଧାରିତ ସରକାରୀ ମେଡିକାଲ କଲେଜରେ ହେବ ।

ଏହି ପରୀକ୍ଷା ଭାରତୀୟ ଏମବିବିଏସ୍ ପରୀକ୍ଷା ଢାଞ୍ଚା ଉପରେ ଆଧାରିତ ହେବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ଦୁଇ ବର୍ଷର ଇଣ୍ଟର୍ଣ୍ଣସିପ୍ କରିବାକୁ ପଡ଼ିବ। ଏଭଳି ଛାତ୍ରଛାତ୍ରୀଙ୍କ ପାଇଁ ଚୂଡ଼ାନ୍ତ ପରୀକ୍ଷାରେ ପାସ୍ କରିବାର ଏହା ଶେଷ ସୁଯୋଗ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। କେବଳ ଏହି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଏଭଳି ସୁବିଧା ଦିଆଯିବ। ଭବିଷ୍ୟତରେ ଏହା ଆଧାରରେ ଅଧିକ ରିହାତି ନିଆଯାଇପାରିବ ନାହିଁ।

ଏହି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଦ୍ୱାରା ଗଠିତ ଏକ କମିଟି ଏହି ନିଷ୍ପତ୍ତି ନେଇଛି। ଏହା ଏକ ଏକକାଳୀନ ବିକଳ୍ପ ହେବ ଏବଂ ଭବିଷ୍ୟତରେ ଏହାକୁ ଆଧାର କରି ସମାନ ସୁବିଧା ଦିଆଯାଇପାରିବ ନାହିଁ ବୋଲି କମିଟି ଗୁରୁତ୍ୱାରୋପ କରିଛି । ଗତ ବର୍ଷ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ସେଠାରୁ ପଳାଇଆସିଥିଲେ । ସେହିପରି ୨୦୨୦ରେ ଚୀନରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ବି ଭାରତ ପଳାଇଆସିଥିଲେ ।

ସମ୍ବନ୍ଧିତ ଖବର