ନୂଆଦିଲ୍ଲୀ: ଖାର୍କିଭ୍‌ରେ ୟୁକ୍ରେନୀୟ ସେନା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଗୋଟାଏ ବଡ଼ ଦଳକୁ ପଣବନ୍ଦୀ କରି ରଖିଥିବା କଥା ବୁଧବାର ଦିନ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି।

Advertisment

ସାମ୍ବାଦିକ ସମ୍ମିଳନୀରେ ରୁଷୀୟ ସେନାର ପ୍ରତିନିଧି ମେଜର୍‌ ଜେନେରାଲ୍‌ ଇଗୋର୍‌ କୋନାସେଙ୍କୋଭ୍‌ କହିଛନ୍ତି, ଆମ ସୂଚନା ଅନୁସାରେ, ୟୁକ୍ରେନ୍‌ ଅଞ୍ଚଳ ଛାଡ଼ି ବେଲ୍‌ଗୋରୋଡ୍‌ ଯିବାକୁ ଚାହୁଁଥିବା ଦଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନୀୟ କର୍ତ୍ତୃପକ୍ଷମାନେ ବଳପୂର୍ବକ ଅଟକ ରଖିଛନ୍ତି।

ବାସ୍ତବ କଥା ହେଉଛି, ସେମାନଙ୍କୁ ପଣବନ୍ଦୀ ରଖାଯାଇଛି। ଭାରତୀୟ ନାଗରିକମାନଙ୍କର ନିରାପଦ ସ୍ଥାନାନ୍ତରଣ ଲାଗି ରୁଷୀୟ ସଶସ୍ତ୍ର ସେନା ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ। ଭାରତ ଦେଇଥିବା ପ୍ରସ୍ତାବ ଅନୁସାରେ, ସେମାନଙ୍କୁ ରୁଷ୍‌ରୁ ସାମରିକ ବିମାନ କିଂବା ଭାରତୀୟ ବିମାନ ଯୋଗେ ସ୍ବଦେଶ ପଠାଇ ଦିଆଯିବ।

publive-image Image Courtesy of Republic World

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ଫୋନ୍ ଯୋଗେ କଥାବର୍ତ୍ତା ହେବାର ଅଳ୍ପ ସମୟ ପରେ ରୁଷୀୟ ସେନା ଉପରୋକ୍ତ ବିବୃତି ଦେଇଛି।

ଭାରତ ସରକାରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁ‌ସାରେ, ବାସ୍ତବରେ ଖାର୍କିଭ୍‌ ରୁଷୀୟ ନିୟନ୍ତ୍ରଣକୁ ଚାଲି ଆସିଛି। ତେଣୁ, ରୁଷୀୟମାନଙ୍କ ସହାୟତାରେ ଛାତ୍ରୀମାନଙ୍କୁ ୨୦ଘଣ୍ଟିଆ ଟ୍ରେନ୍‌ ଯାତ୍ରାରେ ୟୁକ୍ରେନ୍‌ର ପଶ୍ଚିମ ସୀମାନ୍ତକୁ ପଠାଇ ଦିଆଯାଇଛି। ଛାତ୍ରମାନଙ୍କୁ ମଧ୍ୟ ସ୍ଥାନାନ୍ତରଣ କରିବା ଲାଗି ଉଦ୍ୟମ ଚାଲିଛି।

କିନ୍ତୁ, ୟୁକ୍ରେନ୍‌ରେ କୌଣସି ଭାରତୀୟ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ ରଖାଯାଇ ଥିବାର ରିପୋର୍ଟ ମିଳିନାହିଁ ବୋଲି ଭାରତ କହିଛି।