ସୁମି‌ରେ ଫସିଛନ୍ତି ୭୦୦ ଭାରତୀୟ ଛାତ୍ର, ଛାତ୍ରଙ୍କ ଉଦ୍ଧାର ପାଇଁ ଯୁଦ୍ଧବିରତି ଦାବି କଲା ଭାରତ

ନୂଆଦିଲ୍ଲୀ : କିଭ୍‌ ଏବଂ ଖାରକିଭ୍‌ ପରେ ଏବେ ୟୁକ୍ରେନ୍‌ର ଉତ୍ତରପୂର୍ବ ସୀମାନ୍ତ ସହର ସୁମିରେ ରୁଷ୍‌ ସେନାର ପ୍ରଚଣ୍ଡ ଆକ୍ରମଣ ଚାଲିଛି । ସୁମିରେ ଅହରହ ଗୁଳିବର୍ଷା ମଧ୍ୟରେ ଶତାଧିକ ଭାରତୀୟ ଛାତ୍ର ଫସି ରହିଛନ୍ତି। ଉଦ୍ଧାର ପାଇଁ ସେମାନେ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଛନ୍ତି। ସୁମିରେ ଖାଦ୍ୟ ଏବଂ ଜଳ ଯୋଗାଣ ପ୍ରାୟ ବନ୍ଦ ହୋଇଗଲାଣି। ସେମାନେ ପ୍ରତି ଘଣ୍ଟାଏରେ ସୁମି ସହରର ସ୍ଥିତି ସଂକ୍ରାନ୍ତରେ ପୋଷ୍ଟ୍‌ କରୁଛନ୍ତି ଏବଂ ସରକାର ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାପାଇଁ ଅନୁରୋଧ କରିଛନ୍ତ। ସୁମିରେ ଏବେ ପ୍ରାୟ ୭୦୦ରୁ ଅଧିକ ମେଡିକା‌ଲ୍‌ ଛାତ୍ର ଫସି ରହିଛନ୍ତି ଏବଂ ସେମାନଙ୍କ ଉଦ୍ଧାର ନେଇ କେତେକ ବସ୍‌ ବ୍ୟବସ୍ଥା ହେଉଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି।

ତେବେ ଗୁଳିଗୋଳା ବର୍ଷା ଭିତରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିବାରୁ କିଛି ଘଣ୍ଟା ପାଇଁ ଯୁଦ୍ଧ ବିରତି ନିମନ୍ତେ ଭାରତ ଶୁକ୍ରବାର ଦିନ ରୁଷ୍‌ ଓ ୟୁକ୍ରେନ୍‌କୁ ଅନୁରୋଧ କରିଛି। ସୁମିରେ ବସ୍‌ ଏବଂ ଟ୍ରେନ୍‌ ସେବା ବନ୍ଦ ହୋଇଯାଇଛି। ସ୍ବତନ୍ତ୍ର ବସ୍‌ ବ୍ୟବସ୍ଥା ପାଇଁ ଭାରତ ସରକାର ବ୍ୟବସ୍ଥା କରୁଛନ୍ତି। ସହର ବାହାରେ ରାସ୍ତା ଏବଂ ବ୍ରିଜ୍‌ ଧ୍ବଂସ ହୋଇଯାଇଛି। ସୁମିରୁ ବାହାରିବାପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଥିବାରୁ ଏ ନେଇ କିଛି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଆଜି ରାତିରେ ୟୁକ୍ରେନ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଛାତ୍ରମାନେ ସେମାନଙ୍କ ଉଦ୍ଧାର ନେଇ ଖୁବ୍‌ ଚିନ୍ତାରେ ଅଛନ୍ତି। ସୁମିରେ ଫସିଥିବା ଆସାମ ଛାତ୍ରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏସଓଏସ୍‌ ଟ୍ବିଟ୍‌ କରିଛନ୍ତି।

ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଏବେ ବି ୩ ହଜାରରୁ ଅଧିକ ଭାରତୀୟ ଅଛନ୍ତି
ନୂଆଦିଲ୍ଲୀ : ପୂର୍ବ ୟୁକ୍ରେନ୍‌ର ଖାରକିଭ ଏବଂ ସୁମିରୁ ନାଗରିକଙ୍କୁ ଖାଲି କରିବା ଉପରେ ଭାରତ ମୁଖ୍ୟତଃ ଫୋକସ୍‌ କରୁଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ପ୍ରାୟ ୩୦୦ ଭାରତୀୟ ଖାରକିଭରେ ଥିବା‌ବେଳେ ୭୦୦ ଭାରତୀୟ ସୁମୀରେ ଏବଂ ୧ ହଜାର ଭାରତୀୟ ପେସୋଚିନ୍‌ରେ ଅଛନ୍ତି । ସେମାନଙ୍କର ଉଦ୍ଧାର ପାଇଁ ରୁଷ୍‌, ୟୁକ୍ରେନ୍‌, ପୋଲାଣ୍ଡ ଏବଂ ରୋମାନିଆ ସହ ଭାରତ ଅହରହ ସଂପର୍କରେ ରହିଛି। ଉକ୍ତ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାପାଇଁ ଆଜି ଦୂତାବାସ ଏବଂ ବିଦେଶ ମନ୍ତ୍ରାଳୟ ପକ୍ଷରୁ ବସ୍‌ ବ୍ୟବସ୍ଥା କରାଯାଇଛି। ଭାରତ ପ୍ରଥମ ନିର୍ଦ୍ଦେଶାବଳି ଜାରି କରିବା ପରଠାରୁ ଶୁକ୍ରବାର ସୁଦ୍ଧା ପ୍ରାୟ ୨୦ ହଜାର ଭାରତୀୟ ୟୁକ୍ରେନ୍‌ ଛାଡ଼ିଛନ୍ତି ବୋଲି ବା‌ଗ୍‌ଚି କହିଛନ୍ତି। ଗତ ୨୪ ଘଣ୍ଟାରେ ୧୫ଟି ବିମାନ ଆସି ଭାରତରେ ପହଞ୍ଚିଛି। ଏଥିରେ ୩ ହଜାର ଭାରତୀୟଙ୍କୁ ଅଣାଯାଇଛି। ଅପରେସନ ଗଙ୍ଗା‌ ଅଧୀନର ଏଯାବତ ୧୦,୮୦୦ ଭାରତୀୟଙ୍କୁ ଅଣାଯାଇଛି।

ସମ୍ବନ୍ଧିତ ଖବର