ବାପାଙ୍କ ଚାକିରି ଚାଲିଯିବା ଓ ଆମେରିକା ଛାଡ଼ିବା ଡରରେ ଘରୁ ଚାଲିଗଲା ଝିଅ, ୩ସପ୍ତାହ ହେଲାଣି ଖୋଜୁଛି ପରିବାର

ୱାଶିଂଟନ୍: ବାପାଙ୍କ ଚାକିରି ଚାଲିଯିବା ଡରରେ ଘର ଛାଡ଼ିଲା ଝିଅ। ଆମେରିକାର ଆର୍କାନସସ୍ ରାଜ୍ୟରେ ରହୁଥିବା ଜଣେ ୧୪ବର୍ଷୀୟ ଭାରତୀୟ କଂଶୋଦ୍ଭବ ସ୍କୁଲ ଛାତ୍ରୀ ଏଭଳି କରିଛନ୍ତି। ଗତ ୩ସପ୍ତାହରୁ ଅଧିକ ସମୟ ହେଲାଣି ସେ ନିଖୋଜ ଅଛନ୍ତି।

ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ଏବେ ବଡ଼ ବଡ଼ କମ୍ପାନି ନିଜ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ତାଙ୍କ ବାପାଙ୍କ ଚାକିରି ଚାଲିଯିବ ବୋଲି ଭାବି ଚିନ୍ତାରେ ଥିଲେ ନାବାଳିକା। ଚାକିରି ଚାଲିଗଲେ ଘର ଲୋକ ଆମେରିକା ଛାଡିଦେବେ ବୋଲି ଭାବି ନାବାଳିକା ଘର ଛାଡ଼ିଛି। କନୱେ ପୁଲିସ ବିଭାଗ (ସିପିଡି) କହିଛି ଯେ ଆର୍କାନସସର କନୱେ ନିବାସୀ ତନବୀ ମାରୁପଲ୍ଲୀ ଗତ ଜାନୁଆରି ୧୭ରେ ବସ୍‌ରେ ସ୍କୁଲ ଯାଇ ଆଉ ଫେରିନଥିଲେ।

ତନବୀଙ୍କ ପିତାମାତାଙ୍କ କହିବା ଅନୁଯାୟୀ ଯେ ପରିବାର ଆମେରିକା ଛାଡ଼ିବା ସ୍ଥିତି ଆସିଯାଇଥିବା ଜାଣି ତାଙ୍କ ଝିଅ ଘର ଛାଡିଛନ୍ତି। ସେମାନେ କହିଛନ୍ତି ଯେ ବହୁ ବର୍ଷ ଧରି ଆମେରିକାରେ ଆଇନଗତ ଭାବରେ କାର୍ଯ୍ୟ କରିଆସୁଥିଲେ ବି ସେମାନଙ୍କୁ ନାଗରିକତା ମିଳିନାହିଁ। ନାଗରିକତା ପାଇବାକୁ ସେମାନେ ଅନେକ ଚେଷ୍ଟା କରିଥିଲେ ବି ଦେଶର ‘ଇମିଗ୍ରେସନ ପଲିସି’ ପାଇଁ ସେମାନଙ୍କୁ ନାଗରିକତା ମିଳିପାରିନାହିଁ।

ତେବେ ପୁଲିସ ତନବୀଙ୍କୁ ଖୋଜିବାକୁ ଚେଷ୍ଟା କରୁଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନାହିଁ। ପୁଲିସ ଏବେ ସିସିଟିଭି ଫୁଟେଜ ଯାଞ୍ଚ କରି ତାଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି। ଭାଇରାଲ ଫଟୋରେ ତନବୀ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର