ବିଶ୍ୱ ନେତାଙ୍କ ମୂଲ୍ୟହୀନ ପ୍ରତିଶ୍ରୁତିରେ ଆମ ପିଢ଼ି ଅସନ୍ତୁଷ୍ଟ: ‘ସିଓପି୨୬’ ଭାଷଣରେ କହିଲେ ୧୪ ବର୍ଷୀୟ ଭାରତୀୟ ବାଳିକା

ନୂଆଦିଲ୍ଲୀ: ପ୍ରତିଶ୍ରୁତି ନ ରଖି ପ୍ରତିଶ୍ରୁତି ଦେଉଥିବା ବିଶ୍ୱ ନେତାଙ୍କ ଉପରେ ଆମ ପିଢ଼ି କ୍ରୋଧିତ, ଏବଂ ହତାଶ ବୋଲି ଗ୍ଲାସ୍‌ଗୋରେ ଆୟୋଜିତ ‘ସିଓପି୨୬’ରେ ଭାଷଣ ଦେଇ ଜଣେ ୧୪ ବର୍ଷୀୟ ବାଳିକା କହିଛନ୍ତି। ବିଶ୍ୱକୁ ରକ୍ଷା କରିବା ଲାଗି କାର୍ଯ୍ୟ କରିବା ଲାଗି ମଧ୍ୟ ଭାଷଣରେ ସେ ସେମାନଙ୍କୁ ସିଧାସଳଖ ଆହ୍ଵାନ ଦେଇଛନ୍ତି।

‘ଇକୋ ଅସ୍କାର୍‌’ ଭାବେ ଜଣାଶୁଣା ‘ଆର୍ଥସଟ୍‌ ପ୍ରାଇଜ୍‌’ର ନିମନ୍ତେ ହୋଇଥିବା ପ୍ରତିଯୋଗିତାର ଚୂଡ଼ାନ୍ତରେ ପହଞ୍ଚିଥିବା ଅନ୍ୟତମ ପ୍ରାର୍ଥିନୀ ବିନିଶା ଉମାଶଙ୍କରଙ୍କୁ ରାଜକୁମାର ଓ୍ଵିଲିୟମ୍‌ ଜଳବାୟୁ ସମ୍ମିଳନୀରେ ପ୍ରଦୂଷଣରହିତ ବୈଷୟିକ ବିଦ୍ୟା ଏବଂ ଉଦ୍ଭାବନ ସମ୍ବନ୍ଧୀୟ ସଭାରେ ଭାଷଣ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ତାମିଲନାଡୁର ବାଳିକା ଉମାଶଙ୍କର ବିଶ୍ୱ ନେତୃବୃନ୍ଦଙ୍କୁ କହିଲେ, ଆଜି ମୁଁ ସସମ୍ମାନ କହୁଛି, କଥା ନ କହି ଆମେ କାର୍ଯ୍ୟ ଆରମ୍ଭ କରିବା। ‘ଆର୍ଥସଟ୍‌ ପୁରସ୍କାର ବିଜେତା’ ଏବଂ ପ୍ରତିଯୋଗିତାର ଚୂଡ଼ାନ୍ତରେ ପହଞ୍ଚିଥିବା ଆମେ ସଭିଏଁ ଚାହୁଁଛୁ, ଜୀବାଶ୍ମ ତୈଳ, ଧୂମ୍ର ଏବଂ ପ୍ରଦୂଷଣ ଉପରେ ଅର୍ଥନୀତି ନ ଗଢ଼ି ଆପଣମାନେ ଆପଣମାନଙ୍କ ଉଦ୍ଭାବନ, ପ୍ରକଳ୍ପ ଓ ସମାଧାନ ପ୍ରତି ମନୋନିବେଶ କରନ୍ତୁ। ନୂତନ ଭବିଷ୍ୟତ ପାଇଁ ଆମେ ନୂତନ ଦୃଷ୍ଟିଭଙ୍ଗୀ ଆବଶ୍ୟକ କରୁଥିବାରୁ ପୁରୁଣା ବିତର୍କ କଥା ଚିନ୍ତା କରିବା ଅନାବଶ୍ୟକ। ଆମ ଭବିଷ୍ୟତର ରୂପରେଖ ଦେବା ପାଇଁ ଆପଣମାନେ ଆମ୍ଭମାନଙ୍କ ପାଇଁ ସମୟ, ଅର୍ଥ ଓ ଉଦ୍ୟମ ବିନିଯୋଗ କରିବା ଆବଶ୍ୟକ!

Image Courtesy of Pruthiyathalaimurai

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରି ନ ଥିବା ନେତାଙ୍କ ଉପରେ ମୋ ପିଢ଼ିର ଅନେକ କ୍ରୋଧାନ୍ଵିତ ଓ ହତାଶ ହୋଇଛନ୍ତି। ଆମେ ରାଗିବାର କାରଣ ବି ରହିଛି। କିନ୍ତୁ, ରାଗିବା ପାଇଁ ମୋର ସମୟ ନ ଥିଲା। ମୁଁ କାମ କରିବାକୁ ଚାହେଁ। ମୁଁ ଖାଲି ଭାରତରୁ ଆସିଥିବା ଜଣେ ବାଳିକା ନୁହେଁ। ମୁଁ ବିଶ୍ୱର ଜଣେ ବାଳିକା ଏବଂ ସେଥିପାଇଁ ଗର୍ବିତା। ମୁଁ ମଧ୍ୟ ଜଣେ ଛାତ୍ରୀ, ଉଦ୍ଭାବିକା, ପରିବେଶବିତ୍‌ ଏବଂ ଉଦ୍ୟୋଗୀ କିନ୍ତୁ, ସବୁଠୁ ଗରୁତ୍ୱପୂର୍ଣ୍ଣ କଥା ହେଲା ମୁଁ ଖୁବ୍‌ ଆଶାବାଦୀ।

ଭାରତୀୟ ବାଳିକାଜଣକ ଏ ଭଳି ଔଜସ୍ୱିନୀ ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସେଠାରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ବିନିଶା ଉମାଶଙ୍କରଙ୍କ ସୌରଶକ୍ତିଚାଳିତ ‘ଷ୍ଟ୍ରିଟ୍‌ ଆଇରନିଙ୍ଗ୍‌ କାର୍‌’ ‘ଆର୍ଥସଟ୍‌ ପୁରସ୍କାର’ ପାଇଁ ଚୂଡ଼ାନ୍ତରେ ପହଞ୍ଚିଛି।

ସମ୍ବନ୍ଧିତ ଖବର