ଆମେରିକାରୁ ଅତ୍ୟାଧୁନିକ ନୌସେନା ହେଲିକାପ୍ଟର ଖରିଦ କରିବ ଭାରତ, କେନ୍ଦ୍ର କ୍ୟାବିନେଟର ମଂଜୁରୀ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହା ପୂର୍ବରୁ ଭାରତ ସରକାର ଆମେରିକାରୁ ନୌସେନା ହେଲିକାପ୍ଟର ଖରିଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂପର୍କିତ ଏକ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।

କିଛି ଦିନ ତଳେ ଖବର ଆସିଥିଲା ଯେ ଭାରତ ଆମେରିକୀୟ ପ୍ରତିରକ୍ଷା ସାମଗ୍ରୀ ଓ ବିମାନ ନିର୍ମାଣକାରୀ କମ୍ପାନି ଲକହିଡ ମାର୍ଟିନରୁ ୨.୬ ବିଲିୟନ ଡଲାର ମୂଲ୍ୟରେ ଅତ୍ୟାଧୁନିକ ନାଭାଲ ହେଲିକାପ୍ଟର ଖରିଦ କରିବାକୁ ଯୋଜନା କରୁଛି । ଅନ୍ୟପକ୍ଷରେ ଗତ ସପ୍ତାହରେ ଆମେରିକା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଭାରତକୁ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପ୍ରସ୍ତାବକୁ ମଂଜୁରୀ ଦେଇଥିଲେ । ଏହାର ମୂଲ୍ୟ ୧.୮ ବିଲିୟନ ଡଲାର ବା ୧୮୬ କୋଟି ଡଲାର ହେବ । ଆମେରିକାର ପ୍ରତିରକ୍ଷା ନିରାପତ୍ତା ସହଯୋଗ ସଂସ୍ଥା ଏହି ନିଷ୍ପତ୍ତି ସଂପର୍କରେ ଆମେରିକା କଂଗ୍ରେସକୁ ଜଣାଇଛି ।

ନୂଆଦିଲ୍ଲୀକୁ ସୁରକ୍ଷା ଦେବା ପାଇଁ ଭାରତ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ଖରିଦ କରିବାକୁ ବିଚାର କରୁଛନ୍ତି । ଯେପରିକି ଆମେରିକାରେ ହୋଇଥିବା ୯-୧୧ ଆକ୍ରମଣ ପରି ଘଟଣାକୁ ରୋକିହେବ ।

ସମ୍ବନ୍ଧିତ ଖବର