ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଆଜି ସଂସଦରେ କହିଛନ୍ତି ଯେ ମାଳଦ୍ୱୀପ କୌଣସି ଦେଶକୁ ତାଙ୍କ ସାର୍ବଭୌମତ୍ୱରେ ହସ୍ତକ୍ଷେପ କରିବାକୁ ଅନୁମତି ଦେବ ନାହିଁ। ମେ ୧୦ ସୁଦ୍ଧା ଭାରତୀୟ ସୈନିକମାନେ ମାଳଦ୍ୱୀପ ଛାଡ଼ିବେ ବୋଲି ନୂଆଦିଲ୍ଲୀ ଓ ମାଲେ ରାଜି ହୋଇଛନ୍ତି। ରାଷ୍ଟ୍ରପତି ମୁଇଜୁ କହିଛନ୍ତି ଯେ ଦ୍ୱୀପରାଷ୍ଟ୍ରର ତିନୋଟି ବିମାନ ଚଳାଚଳ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏରେ ଥିବା ଭାରତୀୟ ସୈନିକମାନେ ମାର୍ଚ୍ଚ ୧୦ ସୁଦ୍ଧା ଚାଲିଯିବେ ଏବଂ ଅନ୍ୟ ଦୁଇଟିରେ ଥିବା ସୈନିକମାନେ ମେ ୧୦ ସୁଦ୍ଧା ଚାଲିଯିବେ।

Advertisment

ମାଳଦ୍ୱୀପ ଭାରତ ସହ ହୋଇଥିବା ଚୁକ୍ତିକୁ ନବୀକରଣ କରିବ ନାହିଁ ଏବଂ ଆମେ କୌଣସି ଦେଶକୁ ଆମ ସାର୍ବଭୌମତ୍ବରେ ହସ୍ତକ୍ଷେପ କିମ୍ବା କ୍ଷୁଣ୍ଣ କରିବାକୁ ଦେବୁ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଅପରପକ୍ଷେ ଦୁଇ ପ୍ରମୁଖ ବିରୋଧୀ ଦଳ ଏମ୍‌ଡିପି ଓ ଡେମୋକ୍ରାଟ୍‌ର ସଦସ୍ୟମାନେ ରାଷ୍ଟ୍ରପତି ମୁଇଜୁଙ୍କ ଭାଷଣକୁ ବର୍ଜନ କରିଛନ୍ତି। ଏହି ଅଭିଭାଷଣ ବେଳେ ସଂସଦରେ ମାତ୍ର ୨୪ ଜଣ ସଦସ୍ୟ ଯୋଗ ଦେଇଥିବା ବେଳେ ୫୬ ଜଣ ଏଥିରେ ଯୋଗ ଦେଇ ନ ଥିଲେ। ୮୭ ଆସନ ବିଶିଷ୍ଟ ସଂସଦରେ ଉଭୟ ଦଳର ୫୬ ଜଣ ସାଂସଦ (୪୩+୧୩) ଅଛନ୍ତି।