ଭାରତରେ ପ୍ରସ୍ତୁତ କରୋନା ଟୀକା ଦୁଇଟିର ମାନବ ପରୀକ୍ଷଣ ଆରମ୍ଭ ହୋଇଛି : ଆଇସିଏମଆର

ନୂଆଦିଲ୍ଲୀ : ଭାରତରେ ଏବେ ଦୁଇଟି କରୋନା ଟୀକା ଉପରେ ପରୀକ୍ଷଣ ଚାଲିଛି । ପଶୁମାନଙ୍କ ଉପରେ ସେଗୁଡ଼ିକର ପରୀକ୍ଷଣ ସଫଳର ରହିବା ପରେ ମାନବ ପରୀକ୍ଷଣ ଆରମ୍ଭ ହୋଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ଆଇସିଏମଆରର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ଯେ ଏହି ଟୀକାଗୁଡ଼ିକର ଟକ୍ସିସିଟି ପରୀକ୍ଷଣ ମୂଷା ଓ ଠେକୁଆମାନଙ୍କ ଉପରେ କରାଯାଇଛି । ସେଗୁଡ଼ିକ ସଫଳ ରହିଛି । ଏହି ପରୀକ୍ଷା ସଂପର୍କିତ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ରଖାଯିବାପରେ ଡିସିଜିଆଇ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ଏହା ପରେ ଟୀକାଦୁଇଟିର ମାନବ ପରୀକ୍ଷଣ କରାଯାଉଛି । ପ୍ରତି ଟୀକାର କ୍ଲିନିକାଲ ଷ୍ଟଡି ପ୍ରାୟ ୧ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଉଛି ।

ସୂଚନାଯୋଗ୍ୟ ଯେ ଦୁଇଟି ଭାରତୀୟ କମ୍ପାନି ଭାରତ ବାୟୋଟେକ ଓ ଜାଇଡସ କାର୍ଡିଲା ଏହି ଦୁଇଟି ଟୀକାର ବିକାଶ ଦିଗରେ କାର୍ଯ୍ୟକରୁଛନ୍ତି । ଉଭୟ କମ୍ପାନି ଏବେ ଏସବୁ ଟୀକାର ମାନବ ପରୀକ୍ଷଣ କରୁଛନ୍ତି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟୀକାର ନାମ ରଖାଯାଇଛି କୋଭାକ୍ସିନ । ଆଇସିଏମଆର ସହଯୋଗରେ କମ୍ପାନି ଏହି ଟୀକା ପ୍ରସ୍ତୁତ କରୁଛି । ଏହି ଟୀକାର ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି ।

ସମ୍ବନ୍ଧିତ ଖବର