ମଧ୍ୟପ୍ରାଚ୍ୟରେ ପ୍ରସ୍ତୁତ ରହିଛି ଭାରତୀୟ ଯୁଦ୍ଧ ଜାହାଜ, ଯୁଦ୍ଧ ହେଲେ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟର ବିସ୍ଫୋରକ ପରିସ୍ଥିତିକୁ ନେଇ ଭାରତର ଚିନ୍ତା ବଢିଯାଇଛି । କାରଣ ଇରାନ ଓ ଆରବ ଦେଶଗୁଡ଼ିକରେ ଅନେକ ଭାରତୀୟ ରହିଛନ୍ତି । ଯୁଦ୍ଧ ହେଲେ ସେମାନଙ୍କୁ ସେଠାରୁ କିପରି ସୁରକ୍ଷିତ ଫେରାଇ ଅଣାଯିବ ସେ ନେଇ ଯୋଜନା ଆରମ୍ଭ କରିଦେଇଛନ୍ତି ଭାରତ ସରକାର ।
ଯୁଦ୍ଧ ପରିସ୍ଥିତିରେ ଇରାନରେ ଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ଭାରତୀୟ ନୌସେନାର ଆଇଏନଏସ ତ୍ରିଖଣ୍ଡକୁ ପ୍ରସ୍ତୁତ ରଖାଯାଇଛି । ଆଇଏନଏସ ତ୍ରିଖଣ୍ଡ ଗତ ସେପ୍ଟେମ୍ବର ମାସରୁ ଓମାନ ଉପସାଗରରେ ରହିଛି । ଆବଶ୍ୟକତା ଉପୁଜିଲେ ଏହା ଇରାନ ଯାଇ ଭାରତୀୟମାନଙ୍କୁ ଫେରାଇ ଆଣିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖାପାତ୍ର ରବିଶ କୁମାର କହିଛନ୍ତି ।

ଇରାକରେ ଥିବା ଆମେରିକୀୟ ସୈନ୍ୟଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ପ୍ରତିଆକ୍ରମଣ କରିବା ସଂପର୍କରେ କିଛି କହିନଥିଲେ ମଧ୍ୟ ସ୍ଥିତି ଏବେ ବି ବିସ୍ଫୋରକ ରହିଛି ।
ଗତ ଜାନୁଆରି ୩ ତାରିଖରେ ଆମେରିକା ଦ୍ୱାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ଏହାର କଠୋର ଜବାବ ଦିଆଯିବ ବୋଲି ଇରାନର ଧମକ ଦେଇଥିଲା । ଏହା ପରେ ହିଁ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ୮୦ ଜଣ ଆମେରିକୀୟ ସୈନିକ ନିହତ ହୋଇଛନ୍ତି ବୋଲି ଇରାନ ଦାବି କରୁଥିବାବେଳେ ଆମେରିକା ଏହାକୁ ଅସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର