‘ଆତଙ୍କୀସ୍ତାନ’ ସହିତ ଆଲୋଚନା କରିବୁ ନାହିଁ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭାରତର ବାହ୍ୟ ସୀମା ସହିତ ଧାରା ୩୭୦ର ସଂପର୍କ ନାହିଁ

ନ୍ୟୁୟର୍କ : ପାକିସ୍ତାନ ସହିତ ଆଲୋଚନା କରିବାରେ ଭାରତର କୌଣସି ସମସ୍ୟା ନାହିଁ, କିନ୍ତୁ ଭାରତ ‘ଟେରିରିସ୍ତାନ’(ଆତଙ୍କୀସ୍ତାନ) ସହିତ କୌଣସି ଆଲୋଚନା କରିବ ନାହିଁ ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇସ୍‌ଲାମାବାଦ ନିଜ ସମସ୍ତ ବ୍ୟବସ୍ଥାକୁ ଆତଙ୍କବାଦ ସହିତ ଯୋଡ଼ି ଦେଇଛି ଏବଂ କଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ଏହାର ଲଗାତାର ଷଡ଼ଯନ୍ତ୍ର ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ହେଉଛି ବୋଲି ଜୟଶଙ୍କର କହିଛନ୍ତି। ନ୍ୟୁୟର୍କରେ ଏସିଆ ସୋସାଇଟିରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ଭାରତର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ନେଇ କେବଳ ବିଭ୍ରାନ୍ତି ସୃଷ୍ଟି ପ୍ରୟାସ କରୁଛି। ଏ କ୍ଷେତ୍ରରେ ଚୀନ୍‌ ମଧ୍ୟ ଭୁଲ୍‌ ବ୍ୟାଖ୍ୟା କରି କଶ୍ମୀରକୁ ନେଇ ଯେଉଁ ବିବୃତି ଦେଉଛି ତାହା ନିରର୍ଥକ ବୋଲି ଜୟଶଙ୍କର କହିଛନ୍ତି। ଭାରତର ବାହ୍ୟ ସୀମା ସହିତ ଧାରା ୩୭୦ର କୌଣସି ସଂପର୍କ ନଥିଲେ ମଧ୍ୟ ଏହାକୁ ନେଇ ପାକିସ୍ତାନ ଏବଂ ଚୀନ୍‌ର ପ୍ରତିକ୍ରିୟା କେବଳ ଦ୍ବନ୍ଦ୍ବ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ପାକିସ୍ତାନ କଶ୍ମୀର ମାମଲାରେ ନିଜର ସ୍ଥିତି ଜାହିର କରିବା ପାଇଁ ଆତଙ୍କବାଦୀଙ୍କ କାରଖାନା ତିଆରି କରିଛି ଏବଂ ଭାରତ ଏଭଳି ନୀତିକୁ କଦାପି ବରଦାସ୍ତ କରିବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର